ଭବାନୀପାଟଣା: ଦାଦନ ଖଟିବାକୁ ସୁଦୂର ତେଲେଙ୍ଗାନା ଯାଇଥିବା ଶ୍ରମିକଙ୍କର ମୃତ୍ୟୁ । କାମ କରୁଥିବା ବେଳେ ହଠାତ ଦେହ ଅସୁସ୍ଥ ହେବାରୁ ସାଥି ଶ୍ରମିକମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀ ଓ ସାଥୀ ଶ୍ରମିକଙ୍କ ସହାୟତାରେ ଗାଁକୁ ଫେରିଛି ମୃତଦେହ । ମୃତକ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ହାତୀପଖାନ ଗ୍ରାମର ଭାଗ୍ୟବାନ ସେନାପତି ।
କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଗରିବ ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ କେତେକ ଅଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସୂଚନା ଅନୁସାରେ ହାତୀପଖାନ ଗ୍ରାମର ୨୫ ବର୍ଷୀୟ ଯୁବକ ଭାଗ୍ୟବାନ ସେନାପତି ପରିବାର ପ୍ରତିପୋଷଣ ପାଇଁ ଗତବର୍ଷ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ସେଠାରେ ଏକ ଠିକା ସଂସ୍ଥାରେ କାମ କରୁଥିବା ବେଳେ ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ସାଥି ଶ୍ରମିକ ମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟ ଘଟିଥିଲା ।
ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ସାଥି ଶ୍ରମିକ ମାନେ ସମ୍ପୃକ୍ତ ଠିକା ସଂସ୍ଥାକୁ ଜଣାଇ ଥିଲେ ମଧ୍ୟ ମାଲିକ କୌଣସି ସାହାଯ୍ୟ କରିନଥିଲେ । ଫଳରେ ଗ୍ରାମବାସୀ ଓ ସାଥି ଶ୍ରମିକଙ୍କ ସହାୟତାରେ ଭାଗ୍ୟବାନଙ୍କ ମୃତଦେହ ଗ୍ରାମକୁ ଫେରିଛି । ସେପଟେ ପରିବାରର ଜଣେ ମାତ୍ର ରୋଜଗାରିଆ ଥିଲେ ଭାଗ୍ୟବାନ ଆଉ ତାଙ୍କର ମୃତ୍ୟ ପରେ ଏବେ ପରିବାର ଚିନ୍ତାରେ ରହିଛି । ତେବେ ମୃତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି