ଭବାନୀପାଟଣା: ଟୋକନ ନମିଳିବା ପ୍ରତିବାଦରେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭରେ ବସିଛନ୍ତି ଚାଷୀ । ଘଟଣାଟି ହେଉଛି ଜିଲ୍ଲାର କଲମପୁର ମଣ୍ଡିର । ଯେଉଁଠାରେ ଟୋକନ ନମିଳିବାରୁ ମଣ୍ଡିରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ଦେଖାଦେଇଛି ଅସୁବିଧା ।
ସୂଚନା ଅନୁଯାୟୀ କଲମପୁର ମଣ୍ଡିରେ ପାଖାପାଖି 50ରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟୋକନ ମିଳିନାହିଁ । ଏଥିସହ ପ୍ୟାକ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ତେଣେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀକୂଳ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ଯଦି ଘଟଣାକୁ ଗୁରୁତ୍ବର ସହ ନେଇ କୌଣସି ପଦକ୍ଷେପ ନନିଆଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ଦେଇଛନ୍ତି ଚାଷୀ । ସେପଟେ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନଥିବାରୁ ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ