ଭବାନୀପାଟଣା: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଅନେକ ବନଜାତ ଦ୍ରବ୍ୟର ସମ୍ଭାର ଦେଖିବାକୁ ମିଳିଥାଏ । ଜିଲ୍ଲାର ବଣ ମୂଲକରେ ବସବାସ କରୁଥିବା ଗରିବ ଆଦିବାସୀ ବନଜାତ ଦ୍ରବ୍ୟ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ତେଣୁ ପ୍ରତିଦିନ ଭୋର ସକାଳୁ ଉଠି ଜଙ୍ଗଲକୁ ଯାଇ ଗଛରୁ ତେନ୍ତୁଳି, ମହୁଲ, ଶାଳମଞ୍ଜି ସହ ଟୋଲ ଭଳି ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି ।
ପରେ ତାକୁ ବଜାରରେ ବିକ୍ରି କରିଥାନ୍ତି। ସେଥିରୁ ଯେଉଁ ଦୁଇପଇସା ରୋଜଗାର ହୁଏ ସେଥିରେ ଚଳିଯାଏ ସେମାନଙ୍କ ତେଲଲୁଣର ସଂସାର। ତେବେ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ନ ଥିବା କାରଣରୁ ଏହାର ଭରପୁର ଫାଇଦା ଉଠାଇଥାନ୍ତି ଦଲାଲ। ଆଦିବାସୀଙ୍କ ଠାରୁ ଏସବୁ ଦ୍ରବ୍ୟକୁ କମ ଦରରେ କିଣି ବଜାରରେ ଚଢା ଦରରେ ବିକ୍ରି କରିଥାନ୍ତି।
ଆଉ ପରୋକ୍ଷରେ ଶୋଷଣର ଶିକାର ହୋଇଥାନ୍ତି ସଂଗ୍ରହକାରୀ । ତେବେ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଆଗକୁ ବଢି ଆରମ୍ଭ କରିଛି ତେନ୍ତୁଳି ସଂଗ୍ରହ ପାଇଁ ମଣ୍ଡି ବ୍ୟବସ୍ଥା। ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଲିସରା ଠାରୁ ଆରମ୍ଭ ହୋଇଛି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପ୍ରକ୍ରିୟା ।
ତେନ୍ତୁଳି କିଲୋ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 36 ଟଙ୍କା ଧାର୍ଯ୍ୟ କରାଯାଇଛି । ୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏ ଅଞ୍ଚଳରେ ନିଗମ ଏହି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ପ୍ରଥମ ଦିନରେ ବନବାସୀଙ୍କ ଠାରୁ ୩୦ କ୍ୱିଣ୍ଟାଲ ତେନ୍ତୁଳି ସଂଗ୍ରହ କରିଛି ନିଗମ। ତେବେ ଆଗକୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନବାସୀଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯିବ ବୋଲି ଆଦିବାସୀ ଉନ୍ନୟନ ସମବାୟ ନିଗମ ଶାଖା ପରିଚାଳକ ପ୍ରକାଶ କରିଛନ୍ତି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ