ଭବାନୀପାଟଣା: ଜାରି ରହିଛି ମହାମାରୀ କୋରୋନାର ଦ୍ୱିତୀୟ ଲହର । ଫଳରେ ଲକଡାଉନ ସଟଡାଉନର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ଆଦିବାସୀଙ୍କ ଜୀବନଜୀବିକା ଉପରେ । ଜଙ୍ଗଲରେ ବୁଲି ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀ ପେଟରେ ଲକଡାଉନ ମାଡ଼ । ସଂଗ୍ରହ କରୁଥିବା ଦ୍ରଵ୍ୟ ବଜାରରେ ବିକ୍ରି କରିପାରୁନଥିବାବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ ।
ଜିଲ୍ଲାର ନିୟମଗିରି ପର୍ବତର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଉଚିତ ମୂଲ୍ୟରେ ଆଦିବାସୀଙ୍କ ଠାରୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଉଛି। ଆଜି ଏହାର ଉଦଘାଟନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦ ।
ପ୍ରଥମ ଦିନରେ ୩୩ ଜଣ ସଂଗ୍ରହକାରୀଙ୍କ ଠାରୁ ୨୦ କ୍ୱିଣ୍ଟାଲ ୪୦ କେଜି ତେନ୍ତୁଳି ସଂଗ୍ରହ କାରାଯାଇଛି । ଏହି କେନ୍ଦ୍ର ଜିଲ୍ଲାର ସମସ୍ତ ରେଞ୍ଜ ଅଞ୍ଚଳରେ ଖୋଲାଯିବାର ଲକ୍ଷ୍ୟ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଫଳରେ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକା ଉପରେ ପ୍ରଭାବ ପଡିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ