ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇଜି ଅପରେସନ ଅମିତାଭ ଠାକୁର । କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ବହୁଳ ଉପାନ୍ତ ଇଲାକା ହୋଇଥିବା ବେଳେ ଏହି ଜିଲ୍ଲାର ୧୩ଟି ବ୍ଲକରୁ ୧୧ଟି ବ୍ଲକରେ ମାଓବାଦୀଙ୍କ ଚଳ ପ୍ରଚଳ ରହିଛି । ଏନେଇ ଏହି ସବୁ ବ୍ଲକକୁ ମାଓ ଅଧ୍ୟୁଷିତ ଭାବରେ ସରକାର ଘୋଷଣା କରିଛନ୍ତି । ଗତ ୨୦୧୧ ମାସିହା ଠାରୁ କଳାହାଣ୍ଡି ମାଓବାଦୀଙ୍କ ଗଡ଼ ଭାବରେ ପରିଚିତ । ବିଭିନ୍ନ ସମୟରେ ପୋଷ୍ଟର ମାରିବା, ଗାଡି ପୋଡାଜଳା କରିବା ସହ ପୋଲିସ ଇନଫର୍ମର ସନ୍ଦେହରେ ଅନେକଥର ଲୋକଙ୍କ ହତ୍ୟା କରି ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ ।
ଗତ ୩ ଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ SIW ଡିଏସପିଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ଟାପରେଙ୍ଗ ଗାଁ ନିକଟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନର ୩ ଜଣ ମାଓ କ୍ୟାଡର ଅସ୍ଥାୟୀ କ୍ୟାମ୍ପ କରିଥିବା ନେଇ Special Intelligence Wing ସୂଚନା ପାଇଥିଲା । ପରେ ପୋଲିସ ଟାପରେଙ୍ଗ ଗାଁକୁ ଯାଇ ସର୍ଚ୍ଚ କରିବା ସମୟରେ ଟାପରେଙ୍ଗ ଗାଁ ପ୍ରାଥମିକ ସ୍କୁଲ ନିକଟରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ମାଓବାଦୀ । ପ୍ରଥମେ ମାଓବାଦୀ ଗୁଳି ଚାଳନା କରିଥିଲେ, ପରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ଆଉ ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଅପରେସନକୁ ଲିଡ କରୁଥିବା SIWର ଡିଏସପି ଅତୁଲ ଦାସ ମଧ୍ୟ ଗୁରୁତର ହୋଇଥିଲେ ।
ଏହି ଘଟଣାକୁ ନେଇ ଗତକାଲି(ଶୁକ୍ରବାର) ଦିନିକିଆ ଗସ୍ତରେ ଆସି ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇଜି ଅପରେସନ ଅମିତାଭ ଠାକୁର । ହେଲିକପ୍ଟର ଯୋଗେ ଆସି ଭବାନୀପୁର ରିଜର୍ଭ ପୋଲିସ ପଡିଆ ଠାରେ ପହଞ୍ଚିବା ପରେ ଏସପିଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବୈଠକରେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଜିଲ୍ଲା ଏସପି ଅଭିଳାଷ ଜି ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି, "ଜିଲ୍ଲା ମାଓ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ ଜିଲ୍ଲାକୁ ଛତିଶଗଡ଼ ଅଞ୍ଚଳରୁ ମାଓବାଦୀ ଆସୁଛନ୍ତି । ତାହାକୁ ଚେକ କରିବା ସହ ବର୍ଡ଼ରକୁ ସିଲ କରାଯିବ ।" ଏହା ସହିତ ଗ୍ରାମବାସୀଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି ଆଇଜି ଅପରେସନ ।
ଇଟିଭି ଭାରତ, କଳାହାଣ୍ଡି