ଭବାନୀପାଟଣା: ବନ୍ଦ ହେବ ସ୍ବଧାର ଗୃହ । ଏନେଇ ଆଶ୍ରମରେ ରହୁଥିବା ମହିଳାଙ୍କ ବିରୋଧ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ ଦୁଆରଶୁଣି ଠାରେ ୨୦୦୫ ମସିହାରୁ ଗଙ୍ଗାଧର ଯୁବକ ସଂଘ ଦ୍ଵାରା ସୁଧାର ଗୃହ ତଥା ଉଜୁଲା ଗୃହ ପରିଚାଳିତ ହୋଇ ଆସୁଛି । କେତେବେଳେ ସ୍ୱାମୀ ଦ୍ୱାରା ନିର୍ଯାତନାର ଶିକାରତ ପୁଣି ଆଉ କେତେବେଳେ ଯୌନ ରାକ୍ଷସ ମାନଙ୍କ ଦ୍ୱାରା ପୀଡିତ ହୋଇ ଥିବା ଯୁବତୀ ଓ ମହିଳାମାନେ ଏଠାରେ ସାମୟିକ ଆଶ୍ରୟ ନେଉଥିଲେ । ପ୍ରଶାସନ ସହାୟତାରେ ଅତୀତରେ ଏଠାକାର କେତେକ ଅନ୍ତେବାସିନୀଙ୍କୁ ବିବାହ କରାଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଥଇଥାନ ମଧ୍ୟ କରାଯାଇଥିବା ନଜର ରହିଛି । ହେଲେ ଧୀରେ ଧୀରେ ଜିଲ୍ଲା ପ୍ରଶାସନର ଅବେହେଳା ଯୋଗୁଁ ଗତ ଦୁଇ ବର୍ଷ ଧରି ଏହି ଅନୁଷ୍ଠାନକୁ ଅନୁଦାନ ରାଶି ବନ୍ଦ କରି ଦିଆଯାଇଥିଲା । ଯାହାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଅନ୍ତେବାସୀ ।
ଏମିତିକି ତତ୍କାଳୀନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋସ୍ନାମୟୀ ପାତ୍ର ଗଙ୍ଗାଧର ଯୁବକ ସଙ୍ଘର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହେଇଥିଲା । ଯାହାକୁ ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବା ପରେ ତତ୍କାଳୀନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ୟତ୍ର ବଦଳି କରି ଚାଲି ଯାଇଥିଲେ । ସେହିପରି ଗତ ଡିସେମ୍ବର ୧ ତାରିଖ ଦିନ ତତ୍କାଳୀନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଟଙ୍କା ଲାଞ୍ଚ ନେବାକୁ କେନ୍ଦ୍ର କରି ସମ୍ପୃକ୍ତ ଏନଜିଓ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସମସ୍ତ ଅଭିଯୋଗ ସଂକ୍ରାନ୍ତରେ ଜିଲ୍ଲାପାଳ ଏକାଧିକ ବାର ତଦନ୍ତ କରି ଗତ ୨୪ ତାରିଖ ଏହି ଗଙ୍ଗାଧର ଯୁବକ ସଂଘକୁ କଳା ତାଲିକା ଭୁକ୍ତ କରିଥିବା ଜଣାପଡିଛି ।
ଏହି ସ୍ବଧାର ଗୃହ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ଧର୍ମଗଡ଼ର ଏକ ଅନୁଷ୍ଠାନକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସମସ୍ତ ଅନ୍ତେବାସୀଙ୍କୁ ଧର୍ମଗଡ଼ ସ୍ଥାନାନ୍ତର ସମୟରେ ଅନ୍ତେବାସୀ ଏହି ଆଶ୍ରମକୁ ଛାଡି କୁଆଡେ ଯିବୁ ନାହିଁ ବୋଲି ଆଶ୍ରମ ଆଗରେ ଗତକାଲି(ରବିବାର) ସକାଳେ ଧାରଣାରେ ବସିଥିଲେ ।
ତେବେ ଘଟଣା ସମ୍ପର୍କରେ ଖବର ପାଇ ଆଶ୍ରମ ପହଞ୍ଚିଥିଲେ ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ଵଜିତ ଦାସ, ତହସିଲଦାର ଉପେନ୍ଦ୍ର ଲୁହା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ଅନ୍ୟପଟେ ଦୀର୍ଘ ସମୟ ଧରି ଅନ୍ତେବାସୀମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ବେଳେ ସକାଳରୁ ଧାରଣାରେ ବସିଥିବା ୨ଜଣ ଅନ୍ତେବାସୀ ଯୁବତୀ ଗୁରୁତର ହେବାରୁ ସେମାନଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଇଟିଭି ଭାରତ, କଳାହାଣ୍ଡି