କଳାହାଣ୍ଡି: ବେଦାନ୍ତ କମ୍ପାନୀ ମାଲବାହୀ ଟ୍ରେନକୁ ରଖି ଧାରଣାରେ ବସିଛନ୍ତି ଗୋପୀନାଥପୁର ଗ୍ରାମବାସୀ । ଲାଞ୍ଜିଗଡରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହୋଇ ଦୀର୍ଘ ବର୍ଷ ବିତିଥିଲେ ବି ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ ବେଦାନ୍ତ ।
ଅଞ୍ଚଳରେ ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ଥିଲେ ହେଁ କମ୍ପାନୀରେ ଚାକିରୀ ଖଣ୍ଡିଏ ନ ପାଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କୌଣସି ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ହୋଇନାହିଁ । ଏହିପରି ବିଭିନ୍ନ ସମସ୍ୟାକୁ ନେଇ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମବାସୀ ମଙ୍ଗଳବାର ବେଦାନ୍ତ ରେଳ ଧାରଣାରେ ବସି ଆନ୍ଦୋଳନ କରିଥିଲେ ।
ଯେତେ ଦିନ ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀ ସେମାନଙ୍କ ପ୍ରମୁଖ ଦାବିଗୁଡିକ ପୂରଣ ନ କରିଛି ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେଣେ ଧାରଣାସ୍ଥଳରେ ଲାଞ୍ଜିଗଡ ଆଇଆଇସି ସତ୍ୟ ନନ୍ଦ ଓ ଏସ୍ଡିପିଓ ଗୁପ୍ତେଶ୍ଵର ଭୋଇ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଫଳାଫଳ ଅମୀମାଂସିତ ରହିଥିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ