ଭବାନୀପାଟଣା: ପଞ୍ଚାୟତ ନିର୍ବାଚନ ପରେ କଳାହାଣ୍ଡିରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ । ଡିଆରଡିଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ହୋଇଛି । ଜିଲ୍ଲାର ପ୍ରମୁଖ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ସମାଧାନ ପାଇଁ ଦାବି ଜଣାଇଥିଲେ ।
ଆୟୋଜିତ ବୈଠକରେ ନିଜ ଅଞ୍ଚଳର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ସିଏଫସି ଓ ଏସଏଫସି ଅନୁଦାନ ଉପରେ ଆଲୋଚନା ହୋଇଥିଲା । ଆରଡବ୍ଲୁଏସଏସ, ଏସଇଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ୬ ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ସେଥିରୁ ଥୁଆମୂଲ ରାମପୁର ଓ କୋକସରାରେ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଛି । ଏହା ବ୍ୟତୀତ ଅନ୍ୟ ୭ ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା କରାଯିବ । ୩୨୪ଟି ସୋଲାର ପାନୀୟ ଜଳ ପଏଣ୍ଟର ବ୍ୟବସ୍ଥା,ଅଚଳ ନଳକୂପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ବାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ ଯାଇ ମରାମତି କରିବାର ବ୍ୟବସ୍ଥା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । କଳାହାଣ୍ଡି ଜିଲ୍ଲାର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ ହୋଇଥିଲା । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଡିଇଓ କହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୩୩୯ଟି ଡାକ୍ତର ପଦବୀ ଆବଶ୍ୟକ ସତ୍ତ୍ବେ କେବଳ ୧୭୨ଟି ଅଛି ଏବଂ ୧୬୭ଟି ଖାଲି ପଡ଼ିଛି । ଡାକ୍ତରଖାନାରେ ଅନେକ ପଦବୀ ଖାଲି ରହୁଛି । ଏଣୁ ସ୍ବାସ୍ଥ୍ୟ ସେବା ଯୋଗଇଦେବାକୁ ଅସୁବିଧା ହେଉଥିବା ସିଡିଏମଓ ପ୍ରକାଶ କରିଥିଲେ । ଗତ ଏପ୍ରିଲ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୩ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଇ ୯୦୦୦ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।
ସେଭଳି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଦ୍ଵାରା ପୁଣି ଜିଲ୍ଲାରେ ଆସନ୍ତା ୨୯ ଓ ୩୦ ତାରିଖରେ ଜିଲ୍ଲା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯିବ। ଅନ୍ୟପଟେ ନିଜ ଅଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା,ଡାକ୍ତର ଅଭାବ ଉପରେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ସମାଧାନ ପାଇଁ କହିଥିଲେ। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ, ପିଡି , ଡିଆରଡିଏ ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ