ଭବାନୀପାଟଣା : କ୍ଷତିପୂରଣ ପ୍ରଦାନ ଦାବିରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରୁଥିବା ଚାଷୀ ଏବେ ଚିନ୍ତାରେ । କାରଣ ନିଜର କଷ୍ଟ ଉପାର୍ଜିତ ଫସଲରେ ରୋଗପୋକର ପ୍ରାଦୁର୍ଭାବ ଦେଖା ଦେଇଛି । ଫଳରେ ଉଜୁଡି ଯାଇଛି ଫସଲ ଆଉ ମଉଳି ଯାଇଛି ଚାଷୀଙ୍କ ସ୍ୱପ୍ନ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ପରିଶୋଧ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷ କ୍ଷୟକ୍ଷତିର କୌଣସି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ଆଜି ଶତାଧିକ ଚାଷୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । କୃଷି ଓ କୃଷକ ସମିତିର ଆହ୍ବାନ କ୍ରମେ ଶତାଧିକ ଚାଷୀ ଏକତ୍ରିତ ହୋଇ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରାଜ୍ୟ ସରକାର ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅମଳ ସମୟରେ ଦାଉସାଧିଲା ଚକଡା ପୋକ, ଚାଷୀକୁ ଘାରିଛି ଋଣ ଚିନ୍ତା
ଏ ସମ୍ପର୍କରେ କୋକସରା ତହସିଲଦାର ଦେବବ୍ରତ କରାଟି କହିଛନ୍ତି, ''୮ଟି ଜିପିର ଚାଷୀ ଆସିଥିଲେ । ତାଙ୍କ ଧାନରେ ଚକଡ଼ା ପୋକ ଲାଗିଛି । ଫଳରେ ତାଙ୍କ ଧାନଫସଲ ଉଜୁଡ଼ି ଯାଇଛି । ସେମାନଙ୍କୁ ଏଥିପାଇଁ କ୍ଷତିପୂରଣ ରାଶି ଦିଆଯିବ । ଏନେଇ ଆମେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇଛୁ । ସେମାନେ ତଦନ୍ତ କଲାପରେ ହିଁ ଜଣାପଡ଼ିବ ଯେ କାହାର କେତେ କ୍ଷତି ହୋଇଛି । ସେହି ହିସାବରେ ସେମାନଙ୍କୁ ତାଙ୍କ କ୍ଷତିପୂରଣ ବାବଦକୁ ରାଶି ଦିଆଯିବ ।''
ଇଟିଭି ଭାରତ,କଳାହାଣ୍ଡି