ଭବାନୀପାଟଣା: ପୁଣି ଚାଷୀଙ୍କ ମୁଣ୍ଡରେ ଚଡକ । ସରକାରୀ ବିହନ ଲଗେଇ ଫସିଲେ ଚାଷୀ । ଧୋକା ଦେଲା ସରକାରୀ ବିହନ । ୧୫ଦିନ ପରେ ବି ଉଠୁନି ଗଜା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରଇନଗୁଡା ଗାଁରୁ । ଧାର କରଜ କରି ଚାଷୀମାନେ ସରକାରୀ ବିହନକୁ ଭରସା କରି ଗାଁର ବ୍ୟବସାୟୀ ନିକଟରୁ ଧାନ ବିହନ କିଣିଥିଲେ । ଜମିରେ ହଳ ଲଙ୍ଗଳ କରି ବିହନ ବୁଣିଥିଲେ । ହେଲେ ୧୫ଦିନ ପରେ ମଧ୍ୟ ଗଜା ବାହାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।
ତେବେ ଧାନ ଚାଷର ଉପଯୁକ୍ତ ଆସି ପହଞ୍ଚି ଯାଇଥିବା ବେଳେ ଗଜା ନ ବାହାରିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ ସରକାର ଚାଷୀମାନେ ଅଧିକ ଲାଭବାନ ହେବା ପାଇଁ ସରକାରୀ ବିହନ ବ୍ୟବହାର ନେଇ ବଡ ବଡ ପୋଷ୍ଟର ମାଧ୍ୟମରେ ସଚେତନ କରାଉଛନ୍ତି । ଏପରିକି ଗ୍ରାମ ସେବକଙ୍କ ଦ୍ଵାରା ଗାଁ ଗାଁରେ ବିହନ ବିଶୋଧନ ବ୍ୟବସ୍ଥା କାରାଇଛନ୍ତି । ହେଲେ ସେହି ସରକାରୀ ଧାନ ବିହନ ଚାଷ ଜମିରେ ଗଜା ନ ହେବା ଏକ ଆଶ୍ଚର୍ଯ୍ୟ ବିଷୟ । ଓଡିଶା ବିହନ ନିଗମ ଲିମିଟେଡ଼, ଯାହା OSSC ଲାଇସେନ୍ସ ପ୍ରାପ୍ତ ଡିଲରକୁ ବିକ୍ରି କରିବାକୁ ଅନୁମତି ଦେଇଥାଏ । ସେଠାରୁ ହିଁ ବିହନ କିଣି କ୍ଷତିଗ୍ରସ୍ତ ହେବାକୁ ପଡୁଛି ଚାଷୀଙ୍କୁ ।
ତେବେ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ । କେତେବେଳେ ଧାନର ଅଭାବି ବିକ୍ରି ତ ଆଉ କେତେବେଳେ ନକଲି ବିହନ, ସାରରେ ଠକାମି । ଏପରିକି ଚଢା ଦରରେ ଧାନ ବିକ୍ରୟ ହେଉଥିଲେ ବି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ । କୃଷି ବିଭାଗ ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି ପୁନଃ ଚାଷୀଙ୍କୁ ଭଲ ବିହନ ମାଗଣାରେ ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ ।
ଇଟିଭି ଭାରତ, କଳାହାଣ୍ଡି