ଭବାନୀପାଟଣା: ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ଅନେକ ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ସେହିପରି ଓଡିଶାର କିଛି ଜିଲ୍ଲାରେ ମଧ୍ୟ ଏହା ଜାରି ରହିଛି । ତେବେ କଳାହାଣ୍ଡି ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଘରେ ରହିବା ସହ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ନେଇ ଗୁରୁତ୍ୱ ଦିଆଯାଇଛି ।
ହେଲେ ଭବାନିପାଟଣା ସହରର ହାଟର ଏ ଦୃଶ୍ୟ ହିଁ ବୟାନ କରୁଛି ମାକ୍ସ ପିନ୍ଧା ମଣିଷମାନେ କେତେ ସଚେତନ। ସାମାଜିକ ଦୂରତ୍ୱ କଥା ପଛେ ଥାଉ ଗୋଟିଏ ପାଖେ ଗହଳି କରି ଏଠି ଚାଲିଛି କିଣାବିକା ଯାହା ପରୋକ୍ଷରେ ରୋଗ ସଂକ୍ରମଣର କାରଣ ବି ସାଜିପାରେ।
ଏହାକୁ ଦୃଷ୍ଟିରେ ରଖି ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ସପ୍ତାହର ମଙ୍ଗଳବାର ଓ ଶନିବାର ଭବାନୀପାଟଣା ସହରର ସାପ୍ତାହିକ ହାଟ ବସୁଥିବା ବେଳେ, ଏଠାରେ ଜନଗହଳି ଯୋଗୁଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି । ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବ ବେଳେ ଲୋକେ ମଧ୍ୟ ଅହି ନିଷ୍ପତ୍ତିକୁ ସ୍ବାଗତ ଜଣାଇ ସଚେତନ ହେବା ଆବଶ୍ୟକ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ