ଭବାନୀପାଟଣା: ଆସିଛି ପାର୍ବଣ ଋତୁ ପୀଠ ଠାରୁ ଆରମ୍ଭ କରି ମଣ୍ଡପ ସବୁଠି ମହାଆଡମ୍ବର ସହ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା । ମଣ୍ଡପମାନଙ୍କରେ ଆଜି ଜଗତଜନନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଥିବା ପାଉଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶପୂଜା ସହ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା । କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିଙ୍କେଶ୍ୱରୀଙ୍କର ସଂସ୍କୃତି ଓ ପରମ୍ପରା ।
ସେହି ପରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ପୂଜାର ତୃତୀୟ ଦିବସରେ ମା‘ଙ୍କ ନିକଟରେ ଶତାଧିକ ପଶୁବଳି ଦେଇଛନ୍ତି ମାନସିକଧାରୀ । ଫଳରେ ରକ୍ତ ରଞ୍ଜିତ ହୋଇଛି ମା’ଙ୍କ ପୀଠ । ଆଜି ସକାଳୁ ସକାଳୁ ମାଣିକେଶ୍ଵରୀଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କିଏ ଛେଳି ନେଇ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା ତ ପୁଣି ଆଉ କିଏ ଧୂପଦୀପ ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବାସ ରହିଛି ମାନଙ୍କ ନିକଟରେ ମାନସିକ କଲେ ତାହା ପୂରଣ ହୋଇଥାଏ । ଆଉ ସେହି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ବଳି ଅର୍ପଣ କରିବା ସହ ଶାନ୍ତିର ପାରା ମଧ୍ୟ ଉଡ଼ାଇଥାନ୍ତି । ଛତର ଯାତ୍ରାରେ ହିଁ ମା’ଙ୍କ ନିକଟରେ ବଳି ଅର୍ପଣ କରାଯାଏ ତାହା ନୁହେଁ ବର୍ଷ ତମାମ ମାଙ୍କ ମନ୍ଦିରରେ ବଳି ପର୍ବ ଜାରି ରହୁଛି । ଦଶହରା ମାଙ୍କ ଗୁପ୍ତା ପୂଜା ଓ ଷୋଡଶ ଦିନାତ୍ମକ ପୂଜାରେ ମଧ୍ୟ ଶ୍ରଦ୍ଧାଳୁ ବଳି ଅର୍ପଣ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ..ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ଷୋଡ଼ଶୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରାକୁ ବୁଝାଏ । କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜ ପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମାଁ ମାଣିଙ୍କଶ୍ୱରୀଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଆସିଥାନ୍ତି । ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମାଁଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ଜେନାଖାଲରୁ ମନ୍ଦିର ପର୍ଯନ୍ତ ବିଜେ କରନ୍ତି । ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ମାଣିଙ୍କେଶ୍ୱରୀଙ୍କ ଏହି ଯାତ୍ରାକୁ ହିଁ ଛତର ଯାତ୍ରା କୁହାଯାଏ । ଆଉ ଏହି ଯାତ୍ରା ସମୟରେ ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠେ ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ।
ଇଟିଭି ଭାରତ, କଳାହାଣ୍ଡି