ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଳାହାଣ୍ଡି କଂଗ୍ରେସ । ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇହୋଇଥିଲା । ଯେଉଁଥିରେ କଂଗ୍ରେସ ନେତା ବିଦୁ ଭୁଷଣ ତ୍ରିପାଠୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟ କଲାପକୁ ତୀବ୍ର ନିନ୍ଦା କରିଥଲେ । କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଦେଶରେ ବିରୋଧୀ ଦଳର ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରୁଛି କେନ୍ଦ୍ର ବିଜେପି ସରକାର । ଯାହାକୁ କଂଗ୍ରେସ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ବିଦୁ ଭୁଷଣ।
ସେହିପରି ସମାନ ଘଟଣାକୁ ନେଇ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି ଏକ ଛତ୍ରବାଦ ଶାସନ କରୁଛି ବୋଲି କହିଥିଲା କଂଗ୍ରେସ । ଏକ ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ପ୍ରଶ୍ନ କରିଥିଲା ଜିଲ୍ଲା କଂଗ୍ରେସ । ବଲାଙ୍ଗୀର ଜିଲ୍ଲା କଂଗ୍ରେସର ପର୍ଯ୍ୟବେକ୍ଷକ ଥିବା ବରଗଡ଼ ଜିଲ୍ଲାର କଂଗ୍ରେସ ନେତା ଅନନ୍ତ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀର ସଭାପତିତ୍ୱ କରିଥିଲେ । ଏକ ଭାଷଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷର ସଜା ଶୁଣାଇଛନ୍ତି । ଯାହା 1947 ପରେ ଭାରତରେ ପ୍ରଥମ ବୋଲି ସେ ମତରଖିଥିଲେ ।
ଜଗତସିଂହପୁରରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ ଭାରତ ବର୍ଷର ଗଣତନ୍ତ୍ର ଆଜି ବିପଦରେ ରହିଛି । ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଗୁଡିକୁ ମାଡି ମକଚି ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ବ୍ୟବହାର କରାଯାଉଛି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ସମ୍ପର୍କରେ ଯେଉଁ ଖୁଲାସା ସଂସଦରେ କଲେ ତାହା ବିଜେପିକୁ ବିଚଳିତ କରିଥିଲା । ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଅଗଣତାନ୍ତ୍ରିକ ଭାବେ ସାଂସଦ ପଦ ରଦ୍ଦ ପାଇଁ ଷଡଯନ୍ତ୍ର କରାଗଲା ଓ ଏଥିରେ ବିଜେପି ସରକାର ସଫଳ ହେଲେ ବୋଲି କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରକାଶ କରିଥିଲେ।
ସେହିପରି ରାହୁଲ ଗାନ୍ଧୀଙ୍କୁ ଲୋକସଭା ସାଂସଦ ପଦରୁ ବରଖାସ୍ତ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶକୁ ନେଇ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରାଜ କିଶୋର ଷଡ଼ଙ୍ଗୀ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଦାନୀ ଗ୍ରୁପକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ଷଡଯନ୍ତ୍ର କରିଥିବା କହିଥିଲା କଂଗ୍ରେସ ।
ଇଟିଭି ଭାରତ, କଳାହାଣ୍ଡି, ଜଗତସିଂହପୁର, ସୁନ୍ଦରଗଡ, ବଲାଙ୍ଗୀର