ଭୁବନେଶ୍ବର: ଭବାନୀପାଟଣାରେ କୋଭିଡ଼ ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀ ଓ ଚାଷୀକୂଳକୁ ବେଶ ପ୍ରଶଂସା କରିଛନ୍ତି । ଗତ ଦୁଇ ଦଶକ ମଧ୍ୟରେ ଜିଲ୍ଲା ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ଜିଲ୍ଲା ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । ଭୋକର ଭୂଗୋଳ ବଦଳିଛି । ଖାଦ୍ୟର ଭାତହାଣ୍ଡି ହୋଇଛି କଳାହାଣ୍ଡି ।
ବିଶ୍ବକୁ ବିକାଶର ବାର୍ତ୍ତା ଦେଉଛି କଳାହାଣ୍ଡି । କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇଙ୍କର ବହୁ ଅବଦାନ ରହିଛି । ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଦେଶ ତଥା ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜିଲ୍ଲା କୌଣସି ଲୋକ ଯେମିତି ସରକାରଙ୍କ ଯୋଜନାରୁ ବଞ୍ଚିତ ନହୁଅନ୍ତୁ ସେନେଇ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଏହା ଆହୁରି ତ୍ବରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ଼ ମହାମାରୀର ପ୍ରଥମ ଲହର ସ୍ଥିତି ଟିକେ ସାମାନ୍ୟ ହେବ ପରେ କଳାହାଣ୍ଡି ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତବର୍ଷ କଳାହାଣ୍ଡି ଗସ୍ତ କରି 2085 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । 986.71 କୋଟିରେ ନିର୍ମିତ ଇନ୍ଦ୍ରାବତୀର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ନବୀନ । ଜଳର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଇନ୍ଦ୍ରାବତୀ କେବଳ ନଦୀ ନୁହେଁ, ଏହା ଆମର ମା ବୋଲି ସେ କହିଛନ୍ତି । ଏହା ସହ ରାଜ୍ୟରୁ କୋଭିଡ଼ ଭୟ ଦୂର ହେଲେ ଇନ୍ଦ୍ରାବତୀଙ୍କୁ ଉତ୍ସର୍ଗୀକୃତ ସଂଗ୍ରହାଳୟ, ମନ୍ଦିର ଏବଂ ପାର୍କ ଖୁବ ଶୀଘ୍ର ବିକଶିତ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ କଳାହାଣ୍ଡି ରହିଛି ବୋଲି କହିଛନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ଅନୀଲ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଭେଟିଛି, ସବୁବେଳେ ସେ କଳାହାଣ୍ଡିର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ