ଭବାନୀପାଟଣା: ଚିଟଫଣ୍ଡ ଅଫିସରେ ଚଢ଼ାଉ କରି 4 ଜଣଙ୍କୁ ଗିରଫ କଲା କଳାହାଣ୍ଡି ଟାଉନ ଥାନା ପୋଲିସ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ଏକ ବିନା ନାମଧାରୀ ଚିଟଫଣ୍ଡ ସଂସ୍ଥା ସହର ମଧ୍ୟରେ ଅଫିସ ଖୋଲି ବେଆଇନ ଭାବେ ମହିଳା ଗ୍ରୁପଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ବେଳେ ଟାଉନ ଥାନା ପୋଲିସ ପହଞ୍ଚି ଚାରି ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଏହି ସଂସ୍ଥା ନର୍ଲା, ଭବାନୀପାଟଣା ବ୍ଲକର ବିଭିନ୍ନ ଗାଁରେ ମହିଳା ଗ୍ରୁପ କରି ସେମାନଙ୍କ ଠାରୁ ଖାତା ଖୋଲିବା ନାଁରେ ୫୦୦ ରୁ ୭୫୦ ଟଙ୍କା ଆଦାୟ କରୁଥିଲା । ପୂର୍ବରୁ ଏହି ସଂସ୍ଥାର ଏଜେଣ୍ଟ ମାନେ ମହିଳା ଗ୍ରୁପ କରି ଟଙ୍କା ଆଦାୟ କରିସାରିଥିବା ବେଳେ ଶୁକ୍ରବାର ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ମହିଳା ଏହି ସଂସ୍ଥା ଅଫିସରେ ରହି ଟଙ୍କା ଜମା କରୁଥିଲେ ।
ସେହି ସମୟରେ କିଛି ସମାଜସେବୀ ସନ୍ଦେହ ପ୍ରକାଶ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ୪ଜଣ ସଂସ୍ଥାର କର୍ମଚାରୀଙ୍କୁ ସଦର ଥାନାକୁ ଆଣି ପଚରା ଉଚୁରା କରି ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ