ଭବାନୀପାଟଣା: ଏପ୍ରିଲ ୪ରେ ଭବାନୀପାଟଣା ପୌର ନିର୍ବାଚନ ହୋଇଥିଲା । ଏହାରି ମଧ୍ୟରେ ବର୍ଷକ ଅବଧି ସମୟରେ ନିଜ କାର୍ଯ୍ୟର ହିସାବ ଦେଲା ପୌର ପରିଷଦ । ଗତ ଗୋଟିଏ ବର୍ଷେ ଭିତରେ ଭବାନୀପାଟଣା ପୌର ପରିଷଦରେ କେତେ ବିକାଶ ହୋଇଛି ତାହାର ତାଲିକା ଦେଇଛନ୍ତି ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା । ୨୦ଟି ୱାର୍ଡ ବିଶିଷ୍ଟି ଭବାନୀପାଟଣାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଥିବା ଅଧ୍ୟକ୍ଷା କହିଛନ୍ତି ।
ବର୍ଷକର ରିପୋର୍ଟ କାର୍ଡ: ପୌର ଅଧ୍ୟକ୍ଷା କହିଛନ୍ତି, ଭବାନୀପାଟଣା ସହର ନିକଟରେ ୩ କୋଟି ୬୨ ଲକ୍ଷ ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ସ୍ମାର୍ଟ ପାର୍କ ନିର୍ମାଣ ହୋଇଛି । ଏହି ସ୍ମାର୍ଟ ପାର୍କ ହେବା ଫଳରେ ପ୍ରତ୍ୟେକ ବୟସର ବ୍ୟକ୍ତି ପାର୍କକୁ ଯାଇ ମଜା ନେଇଛନ୍ତି । ସହରରେ ପ୍ରାୟ ୫ କୋଟି ଟଙ୍କାରେ ଅତ୍ୟାଧୁନିକ ଟାଉନ ହଲ ନିର୍ମାଣ ହୋଇଛି । ଏହି ଟାଉନ ହଲ ନିର୍ମାଣ ହେବା ଫଳରେ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କଳାକାରମାନଙ୍କ ପାଇଁ ବେଶ ଉପଯୋଗୀ ହୋଇ ପାରିଛି ।
ସେହିପରି ସହରର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରୁ ସିନେମାଲ ଛକ ଓ କଲେଜ ଛକ ଠାରୁ ସରକାରୀ ଆଇଟିଆଇ ପର୍ଯ୍ୟନ୍ତ ପ୍ରାୟ ସହରରେ ୧୦ କିଲୋମିଟରର ଏକ ଜଗିଙ୍ଗ ଟ୍ରାକର ନିର୍ମାଣ କରାଯାଇଛି । ଯାହାର ଅନୁଦାନ ରାଶି ହେଲା ୨ କୋଟି ୫ ଲକ୍ଷ ଟଙ୍କା। ସେହିପରି ୩୫ ଲକ୍ଷ ଟଙ୍କା ବ୍ୟୟରେ ସହରର ନକଟିଗୁଡା ଓ ଲକଲେଜ ନିକଟରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ୭ ଟି ରାସ୍ତାକଡ଼ ଶୌଚାଳୟ ନିର୍ମାଣ କରାଯାଇଛି । ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ୱାର୍ଡମାନଙ୍କରେ ୬ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ଦୂରଦର୍ଶନ କେନ୍ଦ୍ର ନିକଟରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆପଣ ଏଆର ଜିମର ନିର୍ମାଣ କରାଯାଇଛି ।’’
ଏହାସହ ପୌର ଅଧ୍ୟକ୍ଷା କହିଛନ୍ତି, ସହରର ବିଭିନ୍ନ ୱାର୍ଡ ମାନଙ୍କରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ରାସ୍ତା ନିର୍ମାଣ କାର୍ଯ୍ୟ ସାରି ସାରିଛି । ସେହିପରି ସଦର ଥାନା ନିକଟରେ ଥିବା ଶ୍ମଶାନକୁ ଏକ ଆଧୁନିକ ଶ୍ମଶାନରେ ପରିଣତ କରିବା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସହରେ ବାଇପାସ ରାସ୍ତା ନିର୍ମାଣ ଲର୍ଯ୍ୟ ଚାଲିଛି । ଏହାସହ ସହରକୁ ସ୍ୱଚ୍ଛ ଓ ପରିମଳ ରଖିବା ପାଇଁ ସହରରେ ୪ଟି ମାଇକ୍ରୋ କମ୍ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଭବାନୀପାଟଣା ସହରରକୁ ଏକ ସ୍ମାର୍ଟ ସିଟିରେ ପରିଣତ କରାଯିବାର ଲକ୍ଷ୍ୟ ରକ୍ଷା ଯାଇଥିବା କହିଛନ୍ତି ପୌର ଅଧକ୍ଷା ସଂଯୁକ୍ତା ବେହେରା ।
ଇଟିଭି ଭାରତ, ଭବାନୀପାଟଣା