ଭବାନୀପାଟଣା: ଗାଁକୁ ଚାଲ ଗାଁକୁ ଗଢ । ଏଭଳି କିଛି ସ୍ଲୋଗାନ ନେଇ ଗଡି ଚାଲିଛି ଗ୍ରାମଞ୍ଚଳର ବିକାଶ ରଥ । ହେଲେ ଶାସନ ରଥକୁ ଟାଣୁଥିବା ପ୍ରଶାସନିକ ଅଖ ଏବେବି କିଛି ଅଞ୍ଚଳରେ ଅଟକି ଯାଇଛି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗାଁର କଥା ।
ଗାଁରେ ଜନସଂଖ୍ୟା ପ୍ରାୟ ୧୫ ଶହ । ହେଲେ ଏପର୍ଯ୍ୟନ୍ତ ଗାଁକୁ ଆସିପାରିନି ଆଲୁଅ । ବିଜୁଳିବତୀ ଆସିବ । ପିଲା ବିଜୁଳି ଆଲୁଅରେ ପାଠ ପଢିବେ, ଲୋକେ ଟିଭି ମନୋରଞ୍ଜନ କାର୍ଯ୍ୟକ୍ରମର ମଜ୍ଜା ନେବେ । ଏମିତି କିଛି ଆଶା ବାନ୍ଧିଥିଲେ କଲୋନୀ ପଡାବାସୀ । ଖୁସିରେ ଟିଭି ସହ ଅନ୍ୟାନ୍ୟ ବିଜୁଳି ଉପକରଣ ବି କିଣି ଦେଇଛନ୍ତି । ହେଲେ ସେସବୁରେ ଆଜି ଅଳନ୍ଧୁ ଲାଗିଗଲାଣି । କାରଣ ଏହା ଭିତରେ ବିତିଯାଇଛି 7 ବର୍ଷ ହେଲେ ଗାଁକୁ ଆସିପାରିନି ବିଜୁଳିବତୀ ।
ସେପଟେ ଗାଁ ମୁଣ୍ଡରେ ସାଇନ ବୋର୍ଡ ବସିଛି । ସେଥିରେ ବ୍ୟୟ ଅଟକଳ ବି ଲେଖା ହୋଇଛି । ଘରକୁ ଘର ମିଟର ସହ ତାର ଟଣା ବି ସରଛି କିନ୍ତୁ ଏଯାଏଁ ଗାଁକୁ ଆସିପାରିନି ବିଜୁଳି । ଯେଉଁଥିପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ଏପଟେ ମାଟ୍ରିକ ପରୀକ୍ଷାର ସମୟ ପାଖେଇ ଆସିବାରୁ ସନ୍ଧ୍ୟା ହେଲେ ପାଠ ପଢିବାକୁ ନେଇ ବଢିଯାଉଛି ପିଲାଙ୍କ ଚିନ୍ତା । ଆଉ ସତେ ଯେମିତି ଡିବିରି ଆଲୁଅରେ ବନ୍ଧା ପଡିଛି ଗ୍ରାମଞ୍ଚଳର ବିକାଶ । ଏନେଇ ଲାଞ୍ଜିଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାକୁ ନେଇ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ