ଭବାନୀପାଟଣା: ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ମୃତଦେହ ହୋଇ ଫେରିଲେ ଯୁବକ । ଯୁବାବସ୍ଥାରେ ଚାଲିଗଲା ପରିବାର ଏକ ମାତ୍ର ରୋଜଗାରକ୍ଷମ ପୁଅ । କଳାହାଣ୍ଡି କୋକସରା ବ୍ଲକ ଅନ୍ତର୍ଗତ ଖପରାମାଲ ଗାଁରେ ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ୪ ବର୍ଷ ପୂର୍ବେ ଖପରାମାଲ ଗାଁର ୨୧ ବର୍ଷୀୟ ଯୁବକ ଗଜିନ ନାଏକ ରୋଜଗାର ଆଶାରେ ବା ପରିବାର ପେଟ ଚିନ୍ତାରେ ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲେ । ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ହେଲେ ସୋମବାର ତାଙ୍କ ଜୀବନ ଶେଷ ଦିନ ସାବ୍ୟସ୍ତ ହୋଇଥିଲା ।
ଏକ କୋଠା ନିର୍ମାଣ କାମରେ ନିୟୋଜିତ ଥିଲେ ଗଜିନ ନାଏକ । କାମ କରୁଥିବା ସମୟରେ ହଠାତ ଛାତରୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଏହି ଖବର ପାଇ ବେଙ୍ଗାଲୁରୁ ଯାଇ ସେଠାରୁ ନିଜ ଉଦ୍ୟମରେ ଏକ ଆମ୍ବୁଲାନ୍ସ ଭଡ଼ା କରି ଗଜିନଙ୍କ ମୃତଦେହ ଗାଁକୁ ଆଣିଥିଲେ । ଗଜିନଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ଗାଁ । ଗଜିନଙ୍କ ପରିବାର ଏବେ ଅସହାୟ ହୋଇ ପଡ଼ିଛି ।
କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ୟା ଦିନକୁ ଦିନ ଉଦବେଗଜନକ ହେବାରେ ଲାଗିଛି । ବିଭିନ୍ନ କାରଣରୁ ଦାଦନ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଏକ ମାସ ମଧ୍ୟରେ ୩ ଜଣ ଦାଦନ ଙ୍କ ମୃତ ହୋଇଥିବା ବେଳେ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି । ଏଭଳି ସ୍ଥିତିରେ ଗଜିନଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି