କଳାହାଣ୍ଡି: କ୍ରସରରେ କଟିଗଲା ଶ୍ରମିକଙ୍କ ହାତ । ଗତ ଗୁରୁବାର କଳାହାଣ୍ଡିର କେସିଙ୍ଗା ଥାନା ଅଧିନସ୍ଥ ସିଂଝରଣରେ ଥିବା କ୍ରସରରେ ଜଣେ ଶ୍ରମିକଙ୍କ ହାତ କ୍ରସରରେ କଟିଯାଇଥିବା ଜଣାପଡିଛି।
ଗତ ଗୁରୁବାର କିନେରକେଲା ଗାଁର ମୋହନ ବାଗ ସିଂଝରଣରେ ଏକ ପଥର କ୍ରସରରେ ବେଲ୍ଟ ବଦଳ କରୁଥିବା ବେଳେ ହଠାତ୍ ତାଙ୍କ ହାତ ମେସିନରେ ଲାଗିଯାଇଥିଲା । ଯାହାଫଳରେ ତାଙ୍କ ଡାହାଣ ହାତଟି କଟି ଯାଇ ଶରୀରରୁ ଅଲଗା ହୋଇଯାଇଥିଲା ।
ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ କରୁଛି । ଏଭଳି ଅଘଟଣ କିପରି ଘଟିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଏନେଇ କ୍ରସର ମାଲିକ କୈଳାସ ଅଗ୍ରୱାଲଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏଭଳି ଘଟଣା ଏବେ ଶିଳ୍ପାନୁଷ୍ଠାନରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଶୁକ୍ରବାର ଜିଲ୍ଲା ଶ୍ରମ ଅଧିକାରୀ ଆଇନ ଅନୁଯାୟୀ ପୀଡିତଙ୍କୁ ସରକାରୀ ସହାୟତା ସହ ଶ୍ରମିକ ସୁରକ୍ଷା ଆଇନ ଉଲ୍ଲଙ୍ଘନ ହୋଇଥିଲେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ