ଝାରସୁଗୁଡ଼ା: ବସଷ୍ଟାଣ୍ଡ ଇଲାକା ଆସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଗୁରୁବାର ଦିନ ଦ୍ବିପହରରେ ବସଷ୍ଟାଣ୍ଡ ପଛ ପାଖରେ ଥିବା ରେଳ ବିଭାଗର ଏକ ପରିତ୍ୟକ୍ତ ଘରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଉଛି। ଅସହାୟ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଉଥିବା ସମୟରେ ସେଠାରେ ଅନ୍ୟ କେତେକ ଯୁବକ ପହଞ୍ଚି ମୋବାଇଲରେ ଭିଡିଓ ଉତ୍ତୋଳନ କରିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ ।
ତେବେ ଭିଡିଓରେ ଉଭୟ ଦୁଷ୍କର୍ମକାରୀ ଯୁବକ ଚିହ୍ନା ପଡ଼ୁଥିବାରୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳ ରେଳବାଇ ଥାନା ଅଧୀନରେ ରହିଛି । ବସଷ୍ଟାଣ୍ଡର ଉତ୍ତର-ପୂର୍ବ ଦିଗରେ ରେଳବାଇର ପରିତ୍ୟକ୍ତ କୋଠାମାନ ରହିଛି । ସେପରି ଏକ ପରିତ୍ୟକ୍ତ କୋଠାରେ ଗୁରୁବାର ଅପରାହ୍ନରେ ଏଭଳି ଅସାମାଜିକ ଅପରାଧିକ କାର୍ଯ୍ୟ ଚାଲିଥିଲା । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପୀଡ଼ିତା ଯୁବତୀ ଜଣକ ପୋଲିସରେ ଅଭିଯୋଗ କରି ନାହାନ୍ତି ।
ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରେଳବାଇ ପୋଲିସ ନିକଟରେ ଅଭିଯୋଗ ହୋଇ ନ ଥିଲେ ହେଁ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରେଳବାଇ ପୋଲିସ ଘଟଣାର ତଦନ୍ତ କରି ଦୋଷୀ ଵିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସାମାଜିକ କର୍ମୀ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ