ଝାରସୁଗୁଡା: ଏଣିକି ଏମଆରାଇ ଓ ସିଟିସ୍କାନ ଭଳି ବ୍ୟୟବହୁଳ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଟକ କିମ୍ବା ବୁର୍ଲା ଯିବାକୁ ପଡିବନି । ଝାରସୁଗୁଡାରେ ମିଳିବ ଏହି ସୁବିଧା । ଶରୀରରେ ଥିବା ବିଭିନ୍ନ ରୋଗର ଚିହ୍ନଟ ପାଇଁ ଏଠାରେ 5ଶହ ପ୍ରକାର ପରୀକ୍ଷା କରାଯିବ । ଏଥିପାଇଁ ବେଦାନ୍ତର ସହଭାଗିତାରେ 28 କୋଟି ଟଙ୍କା ବ୍ୟୟରେ ଝାରସୁଗୁଡାରେ ଆରମ୍ଭ ହେବ ଏକ ସୁପରସ୍ପେଶାଲିଟି ପାଥୋଲାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ।
ସେହିପରି ଲଇକେରା ଠାରେ ମଧ୍ୟ ଏକ ପାଥୋଲ୍ୟାବ୍ ହେବ । ଏନେଇ ଅମଲିପାଲି ଠାରେ ପାଥୋଲାବର ଭୂମିପୂଜନ କରାଯାଇଛି । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସ ଏହି ଭୂମିପୂଜା କରିଥିବା ବେଳେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ବେଦାନ୍ତର ସି ଇ ଓ ସି.ଏନ.ସିଂହ ଯୋଗଦେଇଥିଲେ |
ଭୂମିପୂଜା ଅବସରରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଥିବା ବିପିଏଲ କାର୍ଡଧାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ପରିକ୍ଷା ସୁବିଧା ମିଳିବ ବୋଲି ଘୋଷଣା କରି ଅନ୍ୟ ଲୋକଙ୍କୁ ସରକାରଙ୍କ ନିର୍ଦ୍ଧାରିତ ଦରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ ।
ଏହାହେଲେ ଝାରସୁଗୁଡାର ପାଖାପାଖି ୫ ଲକ୍ଷ ନାଗରିକ ଉପକୃତ ହେବେ ବୋଲି କୁହାଯାଉଛି । ଏହାସହ ଏହି ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଏହା ଆହୁରି ସୁଦୃଢ କରିବ ବୋଲି ଆଶା କରାଯାଉଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ