ଭୁବନେଶ୍ବର/ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ଦାସଙ୍କୁ ଭର୍ତ୍ତି କରାଯିବା ସମୟରେ ଲେଖାଯାଇଥିବା ଓପିଡି ଟିକେଟ୍, ଡାକ୍ତରଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଓ କ୍ରାଇମ୍ବ୍ରାଞ୍ଚର ଚିଠି ଗଣମାଧ୍ୟମର ହସ୍ତଗତ ହେବାପରେ ଏହା ଚର୍ଚ୍ଚାକୁ ଆସିଛି । ସାମ୍ନାକୁ ଆସିଥିବା ଓପିଡି ଟିକେଟ୍ରେ ନବ ଦାସଙ୍କୁ କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି । ହେଲେ ମେଡିକାଲ ଏଥିକ୍ସ ଅନୁସାରେ ଡାକ୍ତର ଟିକେଟରେ ତାଙ୍କର ସମସ୍ତ ନିରୀକ୍ଷଣ ଓ ଚିକିତ୍ସା ଲେଖିବା କଥା ।
ସେପଟେ ନବ ଦାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବିରୋଧୀ ପ୍ରଥମ ଦିନରୁ ହିଁ ଅଭିଯୋଗ କରି ଆସୁଛନ୍ତି । ଏହି ଓପିଡି ଟିକେଟ୍ ସାମ୍ନାକୁ ଆସିବା ପରେ ଏହି ଅଭିଯୋଗକୁ ଖୋରାକ ଯୋଗାଇଛି । କଂଗ୍ରେସ ଏହାକୁ ପୂର୍ବ ଷଡଯନ୍ତ୍ର ବୋଲି କହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ନବ ଦାସଙ୍କ ହତ୍ୟା ଏକ ରାଜନୈତିକ ହତ୍ୟା କିମ୍ବା ବ୍ୟବସାୟୀକ ହତ୍ୟା ହୋଇଥାଇପରେ ବୋଲି କଂଗ୍ରେସ ଆଗରୁ କହିଆସିଛି । ନବଦାସଙ୍କୁ ଗୁଳିମାଡ ପରେ ସେଠାର ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ କେବଳ ରେଫର କରାଯାଇଥିଲା । ନବ ଦାସଙ୍କର କଣ ଚିକିତ୍ସା ହୋଇଛି, ସେ ବିଷୟରେ କିଛି ବି ଉଲ୍ଲେଖ ହୋଇନଥିଲା । ଏହାର ଅର୍ଥ ହୁଏତ ତାଙ୍କର ସେଠି ମୃତ୍ୟୁ ହୋଇଯାଇଥିଲା । କେବଳ ମୃତ ଶରୀରକୁ ଭୁବନେଶ୍ବର ଆଣାଯାଇଛି । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଏତେ ସମୟର ଯେଉଁ ଚିକିତ୍ସାର ଚିତ୍ର ଦେଖାଇଯାଇଥିଲା, ତାହା ନାଟକ ମଧ୍ୟ ହୋଇଥାଇପରେ । ଏବେ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ।" ସେ ଓଡିଶାବାସୀଙ୍କ ସନ୍ଦେହକୁ ଦୂର କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶରତ ।
ଏହା ମଧ୍ୟ ପଢ଼ନ୍ତୁ...Naba Das Murder Case: ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଗୋପାଳକୁ ଡରାଇଥିଲେ ମନୋଜ !
ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡ ପରେ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତଥ୍ୟ ଓ ପ୍ରମାଣ ସହିତ କହିଥିଲେ ଗୁଳିମାଡ଼ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ଚିକିତ୍ସା ହୋଇନାହିଁ । ସେ ସମୟରେ ବିଜେଡି ଦଳର କିଛି ନେତା କହିଥିଲେ ଜୟନାରାୟଣ ମିଶ୍ର ପାଗଳ ହୋଇଯାଇଛନ୍ତି । ତାଙ୍କ ମୁଣ୍ଡ ଖରାପ ହୋଇଯାଇଛି । ଜଣେ ସମ୍ବିଧାନିକ ପଦବୀରେ ଥିବା ଜଣେ ନେତାଙ୍କୁ ଏଭଳି ବ୍ୟବହାର କରିଥିଲେ । ଆଜି ଏହି ରିପୋର୍ଟ ଆସିଲା ପରେ ବିଜେଡି ଦଳର ନେତାମାନେ ପାଗଳଖାନାକୁ ଯିବେକି ? ସରକାରର ମୁଣ୍ଡ ଖରାପ ହୋଇଛି କି ନା କ୍ରାଇମବ୍ରାଞ୍ଚର ମୁଣ୍ଡ ଖରାପ ହୋଇଛି ପ୍ରଥମେ ଜବାବ ରଖନ୍ତୁ । ମୁଖ୍ୟ ଡାକ୍ତରଖାନାରେ ଯଦି ମୃତ୍ୟୁ ହୋଇଥିଲା, ତାହେଲେ କିଏ କହିଥିଲେ ଅସ୍ତ୍ରୋପଚାର କରିବା ପାଇଁ ? କଣ ମୃତଦେହର ଅସ୍ତ୍ରୋପଚାର କରିଥିଲେ କି ? ବିଗତ ଦିନରେ ଜୟନରାୟଣ ମିଶ୍ର ଯେଉଁ କଥା ଉଠାଇଥିଲେ ତାହା ପ୍ରମଣିତ ହୋଇଛି । ସନ୍ଦେହପୂର୍ଣ୍ଣ ଭାବେ ତଦନ୍ତ କରାଯାଇଛି । ଯଦି ସତ୍ସାହାସ ଅଛି, ତାହେଲେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରନ୍ତୁ ।" ସତ୍ୟ ପ୍ରମାଣିତ ହୋଇଯିବ ଓ ଲୋକେ ଘଟଣାର ସତ୍ୟତା କଣ ଜାଣିପାରିବେ ବୋଲି କହିଛନ୍ତି ଟଙ୍କଧର ।
ଇଟିଭି ଭାରତ, ଭୁବନେଶ୍ବର/ଝାରସୁଗୁଡ଼ା