ଝାରସୁଗୁଡ଼ା: ବ୍ରଜରାଜନଗର ବ୍ୟାଟେଲ ପାଇଁ ପ୍ରସ୍ତୁତ ପ୍ରଶାସନ ଓ ରାଜନୈତିକ ଦଳ । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ଆଜି ଝାରସୁଗୁଡା ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମେ’ ୪ ଅର୍ଥାତ୍ ଆଜିଠାରୁ ୧୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୬ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିଭଳି ୩୧ ମେ’ରେ ଭୋଟଗ୍ରହଣ ହେବ । ଜୁନ ୩ରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ଇଭିଏମ ଓ ଭିଭିପାଟର ବ୍ୟବହାର ହେବ । କୋରୋନା କଟକଣା ଅନୁଯାୟୀ ନିର୍ବାଚନ ହେବ । ଯଦି କେହି ପ୍ରାର୍ଥୀ କୋରୋନା ଗାଇଡଲାଇନର ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ପ୍ରଚାର ପାଇଁ ଅନୁମତି ଦିଆଯିବ ନାହିଁ ।
ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ତେଣୁ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପ ନିର୍ବାଚନ ପାଇଁ ତାରଖ ଘୋଷଣା ପରେ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଆସନ ହାତେଇବାକୁ କସରତ ଆରମ୍ଭ କଲେଣି । ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛି ତାହାରି ଉପରେ ରହିବ ସମସ୍ତଙ୍କର ନଜର ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ