ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ l ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି ବାଘର ଫଟୋ କଏଦ ହୋଇଛି l ଗତ ୧୪ ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରୁ ଏହି କଲରାପତରିଆର ଫୁଟେଜ ମିଳିଥିଲା l ବର୍ତ୍ତମାନ ମଧ୍ୟ ବାଘଟି ପିକୋଲ ଜଙ୍ଗଲରେ ଥିବା ଝାରସୁଗୁଡା DFO ସୂଚନା ଦେଇଛନ୍ତି l
ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରୁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି l ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗ ବାଘ ଉପରେ ତୀକ୍ଷ୍ଣ ନଜର ରଖିଛି l ଆଖପାଖ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ବାରଣ କରାଯାଇଛି l ଲୋକେ ମଧ୍ୟ ଘରୁ ବାହାରୁନଥିବା ପ୍ରକାଶ କହିଛନ୍ତି l ବିଶେଷ କରି ପିକୋଲ ଜଙ୍ଗଲ ନିକଟ ଝାରସୁଗୁଡା ଜିଲ୍ଲାର ଝାପିଦର, ପିକୋଲ, ଭଏସାମୁଡା, ଖଲିଆବାହାଲ, ମନସିଂଡେରା, ବୁଦେଲଡେରା, ବାଣ୍ଡିପାହାଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଢେକନାପାଏଁନ, ଆଙ୍କେଲବିରା, ତିଲିଆ ଆଦି ଜଙ୍ଗଲ ନିକଟବର୍ତ୍ତୀ ଗାଁକୁ ବାଘ ଯେପରି ନ ପଶିବ ସେ ଦିଗରେ ଧ୍ୟାନ ଦିଆଯାଉଛି l
ଏହା ମଧ୍ୟ ପଢନ୍ତୁ: ସୁନାବେଡାରେ ବୁଲୁଛି କଲରାପତରିଆ ବାଘ; ଲୋକେ ଆତଙ୍କିତ
ବାଘଟି ବର୍ତ୍ତମାନ ଜଙ୍ଗଲ ଭିତରେ ଥିବାବେଳେ ବନ ବିଭାଗ ପକ୍ଷରୁ ନଜର ରଖାଯିବା ସହ ଆଖପାଖ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି l ତେବେ ଏହି ଅଞ୍ଚଳରେ ଆଗରୁ ମଧ୍ୟ କଳରାପତରିଆ ଦେଖାଦେଇଛି l ଯାହା କେବେ ଗାଁ ମୁହାଁ ହୋଇନାହିଁ l ବାଘ ହେମଗିରି ଜଙ୍ଗଲ ପଟୁ ଆସି କିଛି ଦିନ ଏହି ଜଙ୍ଗଲରେ ରହିବା ପରେ ପୁଣି ଫେରିଯାଏ l ତେଣୁ ଏହି କଳରାପତରିଆ ବାଘ ମଧ୍ୟ ଗାଁ ମୁହାଁ ହେବାର ଆଶଙ୍କା ନାହିଁ l ବନ ବିଭାଗ ପକ୍ଷରୁ ତା'ର ଗତିବିଧି ଉପରେ ନଜର ରଖାଯାଇଥିବା ଝାରସୁଗୁଡା DFO ମନୁ ଅଶୋକ ଭଟ୍ଟ ଜଣାଇଛନ୍ତି l
କିଛି ଦିନ ତଳେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଆଉ ଗୋଟିଏ କଲରାପତରିଆ ବାଘ ଠାବ ହୋଇଥିଲା । ବାଘକୁ ନେଇ ଅଭୟାରଣ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ତେବେ ଚଳିତ ବର୍ଷ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାଘ ଆତଙ୍କ ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ଝାରସୁଗୁଡ଼ା