ଝାରସୁଗୁଡା: ଆଜି ଜିଲ୍ଲାରେ ଡ୍ରାଇଭର ମହାସଂଘ ଆସୋସିଏସନ ଷ୍ଟେରିଙ୍ଗ ଛାଡ଼, ରାସ୍ତାରୋକ ଡାକରା ଦେଇଛି । ତେବେ ଡ୍ରାଇଭର ସଂଘର ଏହି ଏକତରଫା ଧର୍ମଘଟକୁ ଝାରସୁଗୁଡା ଡ୍ରାଇଭର ଆସୋସିଏସନ ସମର୍ଥନ କରିବ ନାହିଁ । ଏନେଇ ଜିଲ୍ଲା ଡ୍ରାଇଭର ଆସୋସିଏସନ ପକ୍ଷରୁ ଝାରସୁଗୁଡା ଏସପି ଓ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କୁ ଏହି ଆନ୍ଦୋଳନ ସମ୍ପର୍କରେ କୌଣସି ସୂଚିତ କରାଯାଇନଥିବା ବେଳେ ସୋସିଆଲ ମିଡିଆରୁ ଏ ସମ୍ପର୍କରେ ଆସୋସିଏସନ ଜାଣିଥିବା କହିଛି ।
ବର୍ତ୍ତମାନ ସମୟରେ ଧର୍ମଘଟର ଆବଶ୍ୟକତା ନାହିଁ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଏବେ ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି । ଏହି ସମୟରେ ବନ୍ଦ ଡାକରା ଠିକ ହେବନି ଏବଂ ଲୋକଙ୍କ ସୁବିଧା ଦୃଷ୍ଟିରୁ ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ବୋଲି କହିଛି ଆସୋସିଏସନ । ରାଜ୍ୟ ସରକାର ଏନେଇ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଖୁବଶୀଘ୍ର ସରକାର ଘୋଷଣା ମଧ୍ୟ କରିବାକୁ ଯାଉ ଥିବାବେଳେ ଏପରି ଆନ୍ଦୋଳନ କରିବା ଠିକ ହେବନି ବୋଲି ଝାରସୁଗୁଡା ଡ୍ରାଇଭର ଆସୋସିଏସନ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ- ମୁଣ୍ଡ ଉପରେ ରହିଛି ଉପନିର୍ବାଚନ, ଝାରସୁଗୁଡ଼ାରେ ଆରମ୍ଭ ହେଲାଣି ମିଶ୍ରଣ ପର୍ବ
କୋରୋନା ମହାମାରୀ ସମୟରେ ଡ୍ରାଇଭରମାନେ ଭୋଗିଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଧର୍ମଘଟରେ ସହଯୋଗ କରିବାକୁ ମନା କରିଛି ଝାରସୁଗୁଡ଼ା ଡ୍ରାଇଭର ଆସୋସିଏସନ । ଏହି ଧର୍ମଘଟ, ଆନ୍ଦୋଳନ, ଚକାବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିଥିବା ଯୋଗୁଁ ଏହି ବନ୍ଦ ଡାକରାକୁ ବିରୋଧ କରିଛି ଝାରସୁଗୁଡ଼ା ଡ୍ରାଇଭର ମହାସଂଘ । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ବେଳେ ବନ୍ଦ ଡାକରା ଦେଲେ ସେମାନଙ୍କୁ ଯାତାୟାତରେ ଅସୁବିଧା ହେବ । ଏଣୁ ଜନ ସାଧାରଣଙ୍କୁ ଡ୍ରାଇଭର ଆସୋସିଏସନ କୌଣସି ଅସୁବିଧାରେ ପକାଇବା ଲାଗି ଚାହୁଁନଥିବା ଆସୋସିଏସନର ସଭାପତି କହିଛନ୍ତି ।
ପୂର୍ବରୁ ଆନ୍ଦୋଳନ ସମ୍ପର୍କରେ ସୂଚିତ କରାଇଥିଲେ ସେମାନେ ଗୋଟିଏ ଦିନ ଆନ୍ଦୋଳନ କରିଥାନ୍ତେ, ମାତ୍ର ପୂର୍ବରୁ ଏ ନେଇ ସେମାନେ କୌଣସି ସୂଚନା ପାଇନଥିବାରୁ ଆନ୍ଦୋଳନକୁ ସମର୍ଥନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନରେ ସହଯୋଗ ନ କଲେ ଆକ୍ରମଣ ଲାଗି ମଧ୍ୟ ଧମକ ଦିଆଯାଇଥିବା କହିଛନ୍ତି ସେ । ଏଣୁ ଆସୋସିଏସନ ପକ୍ଷରୁ ଗତକାଲି ଝାରସୁଗୁଡା ଏସପି ଓ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନକୁ ଆସୋସିଏସନ ସମର୍ଥନ କରୁନାହିଁ ବୋଲି ସ୍ପଷ୍ଟ କରିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଏସପି ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡ଼ା