ଝାରସୁଗୁଡା: ଜିଲ୍ଲାରେ ବୃଦ୍ଧି ପାଇଛି ବେଆଇନ ବିଦେଶୀ ମଦ କାରବାର । ବନ୍ଧବାହାଲର କଲ୍ୟାଣୀ ହୋଟେଲରୁ 166.5 ଲିଟର ନକଲି ବିଦେଶୀ ମଦ ଜବତ (duplicate liquor seized )ସହ ଜଣେ ଗିରଫ । ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ ଝାରସୁଗୁଡା ଅବକାରୀ ବିଭାଗ (Jharsuguda Excise Department )ଏହି ହୋଟେଲରେ ମିଳିତ ଚଢାଉ କରି ନକଲି ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହୋଟେଲରେ କାମ କରୁଥିବା ସିପନ କୁମାର ଜେନା । ତେବେ ଢାବା ମାଲିକ ଫେରାର ଥିବା ଜଣାପଡିଛି ।
ସୂଚନା ଥାଉକି ଉକ୍ତ ଅଞ୍ଚଳରେ ଖୁଚୁରା ବ୍ୟବସାୟୀ ସମେତ ଅନେକ ହୋଟେଲ , ଢ଼ାବା ମାନଙ୍କରେ ନକଲି ମଦ ବ୍ୟବସାୟ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇ ଥିଲା ଅବକାରୀ ବିଭାଗ । ଏହାପରେ ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ଓ ଝାରସୁଗୁଡା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଦିଲୀପ କୁମାର ପଳେଇଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇ 166.5 ଲିଟର ନକଲି ମଦ ଜବତ କରାଯାଇଥିଲା । ତେବେ ନକଲି ମଦକାରବାର ନେଇ ଅନେକ ସ୍ଥାନରେ ମଧ୍ୟ ରେଡ କରୁଛି ଅବକାରୀ ବିଭାଗ ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ