ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଗୁରୁତର ଭାବେ ହ୍ରାସ ପାଉଛି ଭୂତଳ ଜଳସ୍ତର । ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାରେ ଜଳ ସଂକଟ ଦେଖାଦେବା ନେଇ ଆଶଙ୍କା ପ୍ରକାଶ କରି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବା ସହ ଜଳସ୍ତର କିପରି ବୃଦ୍ଧି ପାଇବ ସେ ନେଇ ଆଲୋଚନା ମଧ୍ୟ କରାଯାଇଛି |
ଝାରସୁଗୁଡା ଜିଲ୍ଲାରେ ଖରାଦିନେ ପାଣି ପାଇଁ ଡହଳ ବିକଳ ହୋଇଥାନ୍ତି ଅନେକ ଗାଁର ଲୋକେ | ମାଇଲ ମାଇଲ ବାଟ ଯାଇଥାନ୍ତି ପାଣି ପାଇଁ | ଏପରିକି ଚୁଆ କରି ପାଣି ସଂଗ୍ରହ କରିଥାନ୍ତି ଲୋକେ । ଏଭଳି ପରିସ୍ଥିତିରେ ଆଗକୁ କଣ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ଜଳସ୍ତର କିପରି ବୃଦ୍ଧି ପାଇବ ସେ ନେଇ ଆଲୋଚନା ମଧ୍ୟ କରାଯାଇଛି ।
ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟର ସବୁଠୁ ଧନୀ ଜିଲ୍ଲାରେ ଆଗକୁ ମିଳିବନି ମୁନ୍ଦାଏ ପାଣି | ପାଣି ପାଇଁ ଏଠି ଜନତାଙ୍କ ମଧ୍ୟରେ ଲାଗିବ ମାରପିଟ | ଏଭଳି ଚମକାଇଲା ଭଳି କିଛି ତଥ୍ୟ ‘କେନ୍ଦ୍ରୀୟ ଭୁତଳ ଜଳ ବୋର୍ଡ’ ପକ୍ଷରୁ ସର୍ଭେ ପରେ ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଛି ଆଲୋଡନ । ଝାରସୁଗୁଡା ଜିଲ୍ଲାରେ ଖଣି ଖାଦାନ ଯୋଗୁଁ ଭୁତଳ ଜଳସ୍ତର ହ୍ରାସ ପାଉ ଥିବା ବେଳେ ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପ ଗୁଡିକ ବେଆଇନ ଭାବେ ଭୁତଳ ଜଳକୁ ନିଜ ବ୍ୟବହାରରେ ଲଗାଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଜଳ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି | ଏଭଳି ସ୍ଥିତିରେ ଭୁତଳ ଜଳର ବ୍ୟବହାର ଉପରେ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ ଝାରସୁଗୁଡାରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲାର ଲଇକେରା, କିର୍ମିରା, କୋଲାବିରା ବ୍ଲକର କିଛି ଅଞ୍ଚଳ ସହ ଲଖନପୁର ବ୍ଲକ ଓ ବ୍ରଜରାଜନଗର ସହରାଞ୍ଚଳରେ ଜଳ ସଂକଟ ଉଦବେଗ ଜନକ ।
ତଥ୍ୟ ଅନୁଯାୟୀ 2004 ମସିହାର ସର୍ଭେ ଅନୁସାରେ ବର୍ଷକୁ 3800 ହେକ୍ଟର ମିଟର ଡ୍ରପ ଭୁତଳ ଜଳ ବ୍ୟବହାର କରାଯାଉଥିବା ବେଳେ 2017 ମସିହାରେ ଏହା ବୃଦ୍ଧିପାଇ 8600 ହେକ୍ଟର ମିଟର ଡ୍ରପରେ ପହଞ୍ଚିଛି | । ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୫ ଟି ବ୍ଲକରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଉଥିବା ବେଳେ ୪୪ଟି ବ୍ଲକରେ ପରିସ୍ଥିତି ସଙ୍ଗିନ ହେଲାଣି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବର୍ଷା ହ୍ରାସ ପାଇବା ସହ ଭୂତଳ ଜଳ ଉପରେ ଚାପ ବଢିବାରେ ଲାଗିଛି । ରାଜ୍ୟ ସରକାର ରାଜ୍ୟରେ ଥିବା ବିଭିନ୍ନ ସରକାରୀ କୋଠା ଛାତ ଉପରେ ବର୍ଷା ଜଳ ସଂରକ୍ଷଣ(ରୁଫ ଟପ ଓ୍ବାଟର ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ ଭୂତଳ ଜଳସ୍ତର ସଙ୍କଟ କିଛି ମାତ୍ରାରେ ଟାଳିବା ସହ ବର୍ଷା ଜଳ ସଂରକ୍ଷଣ ହୋଇପାରିବ । । ସହରାଞ୍ଚଳ ଗୁଡିକରେ ଉଭୟ ସରକାରୀ ଓ ବେସରକାରୀ ଗୃହ ଗୁଡିକୁ ଏଥିରେ ସାମିଲ କରାଯିବ। ସରକାରଙ୍କ ନିଷ୍ପତି ଅନୁସାରେ ଛାତ ଉପର ଜଳ ସଂରକ୍ଷଣ ଯୋଜନାରେ ଘରୋଇ ଲୋକଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯ରେ ବାର୍ଷିକ ମୁଣ୍ଡପିଛା ୩୮୦୨.୮୪ ଘନ ମିଲି ମିଟର ଜଳ ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୫୦୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲି ମିଟରକୁ ଖସି ଆସିଛି। ୨୦୩୦ ବେଳ ଏହା ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲି ମିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ ନଦୀରେ ବାର୍ଷିକ ୯୫, ୫୪୦ ନିୟୁତ କ୍ୟୁବିକ ମିଟର ଜଳ ପ୍ରବାହିତ ହେଉଥିବା ବେଳେ ସେଥିରୁ ମାତ୍ର ୪୪, ୪୫୦.୩୫ ନିୟୁତ କ୍ୟୁବିକ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଅର୍ଦ୍ଧାଧିକ ଜଳ ଅର୍ଥାତ ୫୧୦୮୯. ୬୫ ନିୟୁତ କ୍ୟୁବିକ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ୨୦୫୦ ବେଳକୁ ଉଭୟ ଭୂ-ପୃଷ୍ଠ ଓ ଭୂ-ଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ)ରୁ ୧୨୯ ବିସିଏମକୁ ଖସିଯିବା ନେଇ ଅନୁମାନ କରାଯାଇଛି।
ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲାରେ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।
ଝାରସୁଗୁଡାରୁ, ରବି ନାରାୟଣ ସାହୁ, ଇଟିଭି ଭାରତ