ଝାରସୁଗୁଡା: ଆଜକୁ ଠିକ 5 ବର୍ଷ ତଳର ଘଟଣା । ହଠାତ୍ ଚର୍ଚ୍ଚାର ପରିଧିକୁ ଆସିଥିଲା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କୁଶମେଲ । ୨୦୧୬ ମସିହାରେ ଛତିଶଗଡ ସହ ଆରମ୍ଭ ହୋଇଥିଲା ମହାନଦୀ ଜଳ ବିବାଦ । ଯାହା ଚରମ ସୀମାରେ ପହଞ୍ଚିଥିବା ବେଳେ ଛତିଶଗଡର ଜଣେ ଝିଅ ସୋନି ଯାଦବ ମହାନଦୀରେ ଭାସିଯାଇଥିଲେ । ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖ ସଂଧ୍ୟାରେ ଭାସି ଯାଇଥିବା ସୋନି ୧୨ ଘଣ୍ଟା ପରେ ପ୍ରାୟ ୬୦ କିମି ଭାସି ଆସି ପରଦିନ ସକାଳେ ଓଡିଶାର କୁସୁମେଲ ନିକଟରେ ଲାଗିଥିଲେ । ସେଠାରେ ଥିବା ମତ୍ସ୍ୟଜୀବୀ ମାନେ ତାକୁ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଏହାପରେ ଜଣାପଡିଥିଲା ସେ ହେଉଛନ୍ତି ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସାରଙ୍ଗଗଡ଼ ଥାନା ଜେବ୍ରା ଗାଁର ବାପା ମା ଛେଉଣ୍ଡ ସୋନି ଯାଦବ।
ଏହି ଖବର ସେତେବେଳେ କେବଳ ଝାରସୁଗୁଡ଼ା ନୁହେଁ, ସାରା ଓଡ଼ିଶାରେ ଚହଳ ପକାଇଥିଲା । ବନ୍ୟା ଜଳରେ ପ୍ରାୟ ୬୦ କିଲୋମିଟର ଭାସିଯାଇ ଜଣେ ଜୀବିତ ରହିବା କୌଣସି ଚମତ୍କାର ଏବଂ ଅଲୌକିକ କାହାଣୀଠାରୁ କମ୍ ନଥିଲା । ଏହି ଘଟଣାରେ ଅଖ୍ୟାତ କୁଶମେଲ ଗାଁର ନାଁ ସାରା ଓଡ଼ିଶାବାସୀଙ୍କ ମୁହଁରେ ଥିଲା। ସୋନିକୁ ଉଦ୍ଧାର କରିଥିବା ସନ୍ନ୍ୟାସୀ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସୋନିଙ୍କୁ ତାଙ୍କ ପୈତୃକ ଗାଁ ଜେବ୍ରାକୁ ନିଆଯାଇଥିଲା । କିନ୍ତୁ ସୋନି ସେଠାରେ ରହିବା ଅପେକ୍ଷା ଯାହାଙ୍କ ପାଇଁ ପୁର୍ନଜନ୍ମ ପାଇଛନ୍ତି, ତାଙ୍କର ଝିଅ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସୋନିଙ୍କୁ ପୋଷ୍ୟଝିଅ ଭାବେ ଗ୍ରହଣ କରିଥିଲେ ସନ୍ୟାସୀ ।
ଆସନ୍ତା ଅପ୍ରେଲ ୨୧ ତାରିଖରେ ସୋନୀ ଛତିଶଗଡର ଧରମଜୟଗଡର ପୁରୁଷୋତ୍ତମଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହ ପାଇଁ ପରିବାର ବର୍ଗଙ୍କ ସହ ସୋନିର ଖୁସୀ କହିଲେ ନସରେ । ଝିଅଟି ମା ଛେଉଣ୍ଡ ହୋଇଥିବା ବେଳେ ବାପା ମାନସିକ ରୋଗୀ । ତେଣୁ ତାର ଭଲ ମନ୍ଦ ବୁଝିବାକୁ କେହି ନଥିଲେ। ପିଲା ଦିନରୁ ସୋନି ନିଜ ଅଜା ଓ ମାଉସୀଙ୍କ ପାଖରେ ରହି କମଲାନଗରରେ ଜଣକ ଘରେ କାମ କରି ଚଳିଯାଉଥିଲେ।
ପୁର୍ନଜନ୍ମ ପାଇବା ପରେ ସୋନି ନିଜ ଗାଁକୁ ନଯାଇ ଓଡ଼ିଶାରେ ରହିବାକୁ ମନସ୍ଥ କରିବା ପରେ ଅଭାବୀ ସନ୍ୟାସୀ ଝିଅଟିକୁ ନିଜର କରିଥିଲେ। ସନ୍ୟାସୀଙ୍କ ପତ୍ନୀ ଅହଲ୍ୟା ନିଜ ହାତରେ ସୋନୀକୁ ଖୁଆଇଦେବା ସହ ତାକୁ ଆଭୁଷଣରେ ସଜାଇ ନିଜେ ଜନ୍ମଦାତ୍ରୀ ମା’ ଭଳି ଦାୟିତ୍ବ ସେବେଠାରୁ ତୁଲାଇ ଆସୁଛନ୍ତି । ଆଜି ଯେତେବେଳେ ସୋନି ବିବାହ କରିବ ତାର ସଂସାର ଦେଖିଲେ ଅଧିକ ଖୁସୀ ହେବେ ବୋଲି ପ୍ରତିକ୍ରିୟା ରଖି ପ୍ରସ୍ତୁତିରେ ଲାଗିପଡିଛନ୍ତି ସୋନିର ପରିବାରବର୍ଗ ।
ଏବେ ବିବାହ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ଅତିଥିଙ୍କୁ ବଣ୍ଟା ସରିଲାଣି । କିନ୍ତୁ ନିଜର ଆର୍ଥିକ ଅନଟନ ସମୟରେ ଝିଅ ବାହାଘର କିପରି କରାଯିବ ସେ ଦାୟିତ୍ୱ ନେବାକୁ ସ୍ଥାନୀୟ ବିଧାୟକ କିଶୋର ମହାନ୍ତିଙ୍କ ଦୃଷ୍ଟିକୁ ଆଣିବା ପରେ ନିଜେ ବିଧାୟକ ଓ ତାଙ୍କ ଧର୍ମପତ୍ନୀ କନ୍ୟାଦାନ କରିବା ସହ ସମସ୍ତ ଖର୍ଚ୍ଚ ବହନ କରିବାକୁ ଅଗେଇ ଆସିଛନ୍ତି । ଯାହାକୁ ନେଇ କୁସୁମେଲ ଗାଁ ଲୋକେ ବହୁତ ଖୁସୀ ।
ଏହି ପାଞ୍ଚ ବର୍ଷ ମଧ୍ୟରେ ସୋନି ନିଜ ମାତୃଭାଷା ଛତିଶଗଡ଼ିରୁ ଭଲ ଭାବରେ ଓଡ଼ିଆ ମଧ୍ୟ କହି ପାରୁଛନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଇଛନ୍ତି । ହେଲେ ପାଞ୍ଚ ବର୍ଷ ଭିତରେ ଓଡିଶା ମାଟିକୁ ନିଜର କରି ନେଇଥିବା ସୋନି ପୁଣି ଫେରିବ ଛତିଶଗଡକୁ ନିଜର ନୂଆ ଜୀବନ ଗଢିବାକୁ । ସୋନିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ସମସ୍ତ ଅଞ୍ଚଳବାସୀ ।
ସୁନ୍ଦରଗଡରୁ ରବିନାରାୟଣ ସାହୁ, ଇଟିଭି ଭାରତ