ଝାରସୁଗୁଡା: ନିଶା ସେବନ ଦ୍ୱାରା ଲୋକେ ହିତାହତ ଜ୍ଞାନ ମଧ୍ୟ ଭୁଲି ଯାଉଛନ୍ତି । ଏଭଳି ଜଣେ ମଦୁଆ ପିତା ଘରେ କେହି ନଥିବା ବେଳେ ନିଜ ୧୧ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଏନେଇ ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ ମାଧ୍ୟମରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ପିତାକୁ ପୋଲିସ ଅଟକ ରଖିଛି । ଘଟଣାଟି ଘଟିଛି ଝାରସୁଗୁଡ଼ା ସହରାଞ୍ଚଳରେ ।
ଘରେ ସମ୍ପୃକ୍ତ ଝିଅ ସହ ତା’ ପିତା ଏବଂ ବୃଦ୍ଧା ଆଈ ମାଆ ରହନ୍ତି । ଗତ ରବିବାର ଆଈ ମାଆ ଘରେ ନଥିବା ସମୟରେ ଝିଅକୁ ଏକୁଟିଆ ଦେଖି ନିଶାଶକ୍ତ ବାପ ଏଭଳି କୁକର୍ମ କରିଥିବା ନାବାଳିକା ପଡ଼ିଶା ଲୋକଙ୍କ ଆଗରେ କହିଥିଲା । ଏହା ପରେ ବୃଦ୍ଧା ଆଈଙ୍କୁ ପଡ଼ିଶା ଲୋକେ ଡାକି ଘଟଣା ସମ୍ପର୍କରେ ସବୁକିଛି ଜଣାଇଥିଲେ । ଏନେଇ ଅଭିଯୁକ୍ତ ସହ ପାଟିତୁଣ୍ଡ ହୋଇଥିଲା । ଅଭିଯୁକ୍ତ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସମ୍ପୃକ୍ତ ନାବାଳିକା ଷଷ୍ଠ ଶ୍ରେଣୀରେ ପଢନ୍ତିି ।
ପୋଲିସ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଚାଇଲ୍ଡ ଲାଇନ ପକ୍ଷରୁ ପୀଡ଼ିତା ନାବାଳିକାଙ୍କୁ ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ ପରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଝାରସୁଗୁଡା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ