ଝାରସୁଗୁଡା: ଶେଷରେ ଝାରସୁଗୁଡା ସୀମାରୁ ଜବତ କରି ନେଇଥିବା ଧାନ ଗାଡିକୁ ଫେରାଇବାକୁ ରାଜି ହୋଇଛି ଛତିଶଗଡ ପୋଲିସ। ଏ ଘଟଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଛତିଶଗଡ ନିଜ ଦୋଷ ମାନି ରାଜି ହୋଇଥିବା କୁହାଯାଉଛି।
ଏପଟେ ଝାରସୁଗୁଡା ଜିଲ୍ଲା ସୀମାନ୍ତରେ ଛତିଶଗଡ ପୋଲିସର ଦାଦାଗିରି ପରେ ଘଟଣାସ୍ଥଳକୁ ଯାଇଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଓ ତହସିଲ କାର୍ଯ୍ୟାଳୟର ଅଧିକାରୀ କନକତୋରା ଗସ୍ତ କରି ସରଜମିନ ତଦନ୍ତ କରିଛନ୍ତି।
ସେପଟେ ଜିଲ୍ଲାପାଳ ମଧ୍ୟ ନିଜେ ଛତିଶଗଡର ରାୟଗଡ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏହାସହ ସେଠାରେ ଓଡିଶାର ସୂଚନା ଫଳକ ଲଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅଧିକ ପଢନ୍ତୁ; ଛତିଶଗଡ ପୋଲିସର ଦାଦାଗିରି, ସୀମାରେ ପଶି ଓଡିଶା ଚାଷୀଙ୍କୁ ରଖିଲା ଅଟକ
ଅନ୍ୟପଟେ ଛତିଶଗଡ ପୋଲିସ ନିଜ ଦୋଷ ମାନିଥିବା କୁହାଯାଉଛି । ଧାନ ବୋଝେଇ ଗାଡିକୁ ଆସି ନେଇଯିବାକୁ ସେମାନେ କହୁଥିବା ସୂଚନା ମିଳିଛି । ତେବେ ଜୁଟମିଲ ଥାନାରେ କନକତୋରା ଗାଁର ଭାଗଚାଷୀ ମନୋଜ ମେହେର ଅଟକ ରହିଥିବାରୁ ସେଠାକୁ ଯାଇ ଧାନ ଗାଡି ଆଣିବାକୁ ସେ ଭୟ କରୁଥିବା ସୂଚନା ମିଳିଛି । ଫଳରେ ଏପର୍ଯ୍ୟନ୍ତ ମଧ୍ୟ ଧାନ ବୋଝେଇ ଗାଡି ଜୁଟମିଲ ଥାନାରେ ରହିଛି।
ଝାରସୁଗୁଡା ସୀମାରେ ପଶି କନକତୋରା ଗାଁର ଭାଗଚାଷୀ ମନୋଜ ମେହେରଙ୍କ ଧାନ ବୋଝେଇ ଗାଡିକୁ ରାୟଗଡ ଜିଲ୍ଲା ଜୁଟମିଲ ପୋଲିସ ଜବତ କରିଥିବାବେଳେ ପରେ ମନୋଜଙ୍କୁ ଛାଡିଦେଇଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ