ଝାରସୁଗୁରଡା: ପାଖଉଛି ବ୍ରଜରାଜନଗର ଉପନିର୍ବାଚନ ତାରିଖ । ଦିନ ଯେତିକି ପାଖଉଛି ସେହିମାତ୍ରାରେ ଜମୁଛି ପ୍ରଚାର । ତେବେ ପ୍ରଚାର ଶେଷ ପର୍ଯ୍ୟାୟରେ ଥିବାବେଳେ ହାତରେ ଆଉ ମାତ୍ର ୩ ଦିନ ରହିଲା । ଗରମ ଉଷ୍ମତ୍ତାଠୁ ବଳି ଯାଉଛି ନିର୍ବାଚନ ତାତି । ଗର୍ଜୁଛନ୍ତି ହେବିୱେଟ ନେତା । ଏ ନେଇ ସମସ୍ତ ୩ ରାଜନୈତିକ ଦଳ ପକ୍ଷରୁ ସଭା, ଶୋଭାଯାତ୍ରା, ସମାବେଶ ଜୋରଦାର ହୋଇଛି । ଲୋକଙ୍କ ମନ ଜିତିବାକୁ ସବୁ ପ୍ରକାଶ କୌଶଳ ଆପଣେଇଛନ୍ତି ପ୍ରାର୍ଥୀ । ବ୍ରଜରାଜନଗର ଉପନିର୍ବାଚନ ତ୍ରିମୁଖୀ ଲଢେଇରେ କାହାର ଜିତାପଟ ହେବ । କିଏ ଜିତିବ ବ୍ରଜରାଜନଗର ବାଜି । ପୌରାଞ୍ଚଳ ଠାକୁରପଡା BJD ତରଫରୁ ମହିଳା ସମାବେଶ କରାଯାଇଛି ।
ସମାବେଶରେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରଚାର କମିଟି ମୁଖ୍ୟ ସଂଯୋଜିକା ଦୀପାଳି ଦାସ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ନଳିନୀ ପ୍ରଧାନ ପ୍ରମୁଖ ଯୋଗଦେଇଛନ୍ତି । ମହିଳାଙ୍କ ବିକାଶ ସଦା ସର୍ବଦା ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି । ଏନେଇ ମହିଳା ଭୋଟରଙ୍କୁ ହାତେଇବା ପାଇଁ ବିଜେଡ଼ି ଲାଗିପଡିଛି । ବିଜେଡି ପ୍ରାର୍ଥୀଙ୍କୁ ସହାନୂଭୂତି ସାହା ହେଉଛି ନା ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଥିବା ବିରୋଧୀଙ୍କ କାର୍ଯ୍ୟ ସଫଳ ହେଉଛି ତାହା ସମୟ କହିବ ।
ସେହିପରି ଉତ୍ତରପ୍ରଦେଶରୁ ଆସି ବ୍ରଜରାଜନଗର ଲୋକଙ୍କ ଭୋଟ ହାତେଇବା ପାଇଁ ଆଜି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ (ନିରଉୱା)ଙ୍କୁ ନେଇ ରୋଡ଼ ଶୋ କରିବ ବିଜେପି । ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ରର ସ୍ଥାଣୁତାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣ କୌଶଳ ଆପଣେଇଛନ୍ତି । କିଏ ବ୍ରଜରାଜନଗର ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ।
ଆସନ୍ତା ୩୧ ତାରିଖରେ ହେବାକୁ ଯାଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ (Brajarajnagar Bypoll) । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ