ଝାରସୁଗୁଡା: ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ(Brajrajnagar By-Poll) । ବିଜେଡିରୁ ଅଳକା ମହାନ୍ତି ଏବଂ ବିଜେପିରୁ ରାଧାରାଣୀ ପଣ୍ଡା ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପୂର୍ବତନ ବାଚସ୍ପତି କିଶୋର ପଟେଲ । ଉପନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ନାମାଙ୍କନ ପତ୍ର ଦାଖଲ ପରେ ଗୁରୁବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ତେବେ ପ୍ରଚାର ପୂର୍ବରୁ ସେ ଗଣ୍ଡୋଘୋରା ଗ୍ରାମ ସ୍ଥିତ ମାଁ ମୁଲଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ଅଞ୍ଚଳରେ ରହିଥିବା ବେକାରୀ, ପାନୀୟଜଳ ଏବଂ ଚାଷୀଙ୍କ ନାନାଦି ସମସ୍ୟା ସହ ଓରିଏଣ୍ଟ ପେପରମିଲର ପୁନଃ ସ୍ଥାପନକୁ ମୁଖ୍ୟ ମୁଦ୍ଦା କରି ପ୍ରଚାର ମଇଦାନରେ ପାଦ ଦେବେ ବୋଲି କିଶୋର କହିଛନ୍ତି । ସେହିପରି ଦଳୀୟ କର୍ମୀ ଏବଂ ନେତାମାନେ ତାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନରେ ପାଇଥିବାରୁ ଦଳ ଏଥର ଭଲ ପ୍ରଦର୍ଶନ କରିବା ସହ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କହିରଖୁଛୁ କି, ଏହି ଅଞ୍ଚଳ ପୂର୍ବରୁ କଂଗ୍ରେସ ଗଡ଼ ରହିଥିଲା ଏବଂ କିଶୋର ପଟେଲ ଏହି ଅଞ୍ଚଳର ପୂର୍ବତନ ବିଧାୟକ ଥିଲେ ।
ଗତ ୨୦୧୯ ନିର୍ବାଚନରେ ସିପିଆଇ ସହିତ ମେଣ୍ଟ ଥିବା ଯୋଗୁଁ ଦଳ ନିଜର ପ୍ରାର୍ଥୀ ଦେଇନଥିଲା । ଯାହା ଫଳରେ ବିଜେଡି ବାଜି ମାରିଥିଲା । କିନ୍ତୁ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଯୋଗୁଁ ହେଉଥିବା ଏହି ଉପନିର୍ବାଚନରେ କଂଗ୍ରେସ ନିଜର ଟାଣୁଆ ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ଭାବେ ଓହ୍ଲାଇ ଏଥର ଗଡ଼ ହାତେଇବା ନେଇ ଆଶା ରଖିଛି । ପ୍ରକାଶଥାଉ କି, ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଜୁନ ୩ରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ଇଭିଏମ ଓ ଭିଭିପାଟର ବ୍ୟବହାର ହେବ । କୋରୋନା କଟକଣା ଅନୁଯାୟୀ ନିର୍ବାଚନ ହେବ ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ