ଝାରସୁଗୁଡ଼ା: ବଡମାଲ ପୋଲିସକୁ ସଫଳତା । ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରି 4 ଜଣଙ୍କୁ ଗିରଫ କରିଛି ପୋଲିସ । ଗତ 28 ତାରିଖ ମଧ୍ୟରାତ୍ରରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟର ରେଳବାଇ ସାଇଡିଂ କାର୍ଯ୍ୟ କରୁଥିବା ଏକ ଠିକାସଂସ୍ଥାର କ୍ୟାମ୍ପରେ ଦୁଇଜଣ କର୍ମଚାରୀ ଥିବା ବେଳେ ସେମାନଙ୍କୁ ବାନ୍ଧିପକାଇବା ସହିତ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ଦୁଇଟି ମୋବାଇଲ ସହ 2 ହଜାର ଟଙ୍କା ଲୁଟି ନେଇଥିଲେ ।
ପରେ 2 କର୍ମଚାରୀ ଆନ୍ତର୍ଯ୍ୟାମୀ ପାଟିଲ ଓ ତାଙ୍କ ସହଯୋଗୀ ବଡମାଲ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏହି ମାମଲାର ତଦନ୍ତ କରି ଜୟଦେବ ଓରାମ,ଶନିଶ୍ଚର ଓରାମ, ଗୋବିନ୍ଦ ମିରିଗି ଓ ମିଶ୍ର ଓରାମକୁ ଗିରଫ କରି ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଲୁହାରଡ ସହ ଚୋରି ହୋଇଥିବା ଦୁଇଟି ମୋବାଇଲ, ନଗଦ 2 ହଜାର ଟଙ୍କା ଜବତ କରିଛି ।
ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ ମଧ୍ୟ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ହତ୍ୟା ଓ ଅନେକ ଚୋରି ଭଳି ସଙ୍ଗୀନ ମାମଲା ରହିଥିବା ସୂଚନା ଦେଇଛନ୍ତି ବଡମାଲ ଆଇଆଇସି ଅମିତାଭ ପଣ୍ଡା ।
ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ