ଝାରସୁଗୁଡା: କୋରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଯୁବ ସାମ୍ବାଦିକ ଅମଜାଦ୍ ବାଦସାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଅମଜାଦ୍ ରାଉରକେଲାସ୍ଥିତ ଜୟ ପ୍ରକାଶ ହସ୍ପିଟାଲର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅମଜାଦ୍ ଝାରସୁଗୁଡ଼ା ଓ ବଲାଙ୍ଗୀର ଭଳି ଜିଲ୍ଲାରେ ପ୍ରାୟ ଏକ ଦଶନ୍ଧିରୁ ଅଧିକ ହେବ ସକ୍ରିୟ ସାମ୍ବାଦିକ ଭାବେ କାମ କରି ଆସୁଥିଲେ। । ସେ ପ୍ରଥମ ପର୍ଯ୍ୟାୟରେ 2007-09 ଇଟିଭି ନ୍ୟୁଜ ଚ୍ୟାନେଲରେ ଟିଟିଲାଗଡ ପ୍ରତିନିଧି ଭାବେ ସାମ୍ବାଦିକତା ଆରମ୍ଭ କରିଥିବାବେଳେ ପରେ 2014 ରୁ 2016 ମସିହା ପର୍ଯ୍ୟନ୍ତ ଝାରସୁଗୁଡା ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଥିଲେ । ଉଭୟ ପ୍ରିଣ୍ଟ ଓ ଟେଲିଭିଜନ ସାମ୍ବାଦିକତାରେ ଅଭିଜ୍ଞତା ସାଉଁଟିଥିବା ଅମଜାଦ ନିଜ ପେଶାଗତ ଜୀବନରେ ବେଶ ସୁନାମ ଅର୍ଜନ କରିଥିଲେ ଅମଜାଦ୍ ।
ଗତ ଏପ୍ରିଲ ୭ରେ ତାଙ୍କୁ କୋରୋନା ହୋଇଥିବା ନେଇ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ସେ ନିଜେ ପୋଷ୍ଟ କରି ସୂଚନା ଦେଇଥିଲେ । କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ଆଇସୋଲେସନରେ ଥିବା ମଧ୍ୟ ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଥିବା ଦେଖାଯାଇଥିଲା । ଏଥିସହ ନିଜ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ ମଧ୍ୟ କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଚଳିତ ମାସ ୧୬ ତାରିଖରେ ରାଉରକେଲା ସ୍ଥିତ ଜୟ ପ୍ରକାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳ ତଥା ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ , ଇଟିଭି ଭାରତ