ଯାଜପୁର: ରାଜ୍ୟରେ ସାଧାରଣ ଖାଉଟି ଦ୍ରବ୍ୟ, ପେଟ୍ରୋଲ, ଡିଜେଲ ଆଦି ଦର ଆକାଶ ଛୁଆଁ ହୋଇଥିବା ବେଳେ ଯାହାର ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।
ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଓ ନେତା ମାନେ ଯୋଗ ଦେଇ କେନ୍ଦ୍ରସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । ପେଟ୍ରୋଲ ଡିଜେଲର ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଏହାର ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦରକୁ ସରକାର ନିୟନ୍ତ୍ରଣକୁ ଆଣିବା ଆବଶ୍ୟକ ବୋଲି ମତ ଦେଇଥିଲେ ।
କୋରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କୁ ଖୁବ୍ ବାଧିଛି । ଆଉ ଏମାନଙ୍କ କଥା ଚିନ୍ତା କରି ସରକାର ସମସ୍ତ ସାମଗ୍ରୀର ଦର କମ କରନ୍ତୁ ନହେଲେ ଆଗକୁ ପ୍ରତିବାଦ ଜୋର ଧରିବ । ଏଥି ସହିତ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଏହାପ୍ରତି ଯଦି ସ୍ବତନ୍ତ୍ର ଦୃଷ୍ଟି ନ ଦିଅନ୍ତି ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ