ଯାଜପୁର: ଟ୍ରକକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ। 2 ମୃତ 4 ଗୁରୁତର । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କଲେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘଙ୍କ ସହ ମୃତକର ପରିବାର ।
ରବିବାର ବିଳମ୍ବିତ ରାତିରେ 16 ନଂ ଜାତୀୟ ରାଜପଥର ବନ୍ଦଳା ଛକଠାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା 108 ଆମ୍ବୁଲାନ୍ସ । ଯାହାଫଳରେ ଘଟଣା ସ୍ଥଳରେ ଜଣେ ମହିଳା ରୋଗୀଙ୍କର ମୃତ ହୋଇଥିବା ବେଳେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଆଜି(ସୋମବାର) ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ଯାଜପୁର ମଙ୍ଗଳପୁର ଅଞ୍ଚଳରୁ 108 ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ତାଙ୍କ 4ଜଣ ସମ୍ପର୍କୀୟ କଟକ ବଡମେଡିକାଲ ଆସୁଥିଲେ। ବନ୍ଦଳା ଛକଠାରେ ପୁର୍ବରୁ ଛିଡା ହୋଇଥିବା ଏକ ଟ୍ରକର ପଛପଟକୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା।
ତେବେ ମୃତ ମହିଳା ହେଉଛନ୍ତି ଶଶୀ ଜେନା । ସେହିପରି ମୃତ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ହେଉଛନ୍ତି ପ୍ରତିପୁର ରଞ୍ଜିତ ମଲ୍ଲିକ ଓ ଗୁରୁତର ଡ୍ରାଇଭର ହେଲେ ଯାଜପୁର କାଳିଆପାଣି ଅଞ୍ଚଳର ଗଗନ କୁମାର ମହନ୍ତ ବୋଲି ଜଣା ପଡିଛି। ଦୁର୍ଘଟଣା ପରେ ମୃତ ମହିଳା ଆଉ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥନାନ୍ତର କରାଯାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ଦୁର୍ଘଟଣା ମୃତ୍ୟୁ ହୋଇଥିବା ଆଟେଣ୍ଡାଣ୍ଟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଯାଜପୁର 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ସହ ରୋଗୀର ପରିବାର ଲୋକେ ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ମୃତ ଦେହ ରଖି ରାସ୍ତାରୋକ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ