ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଏହି ପବିତ୍ର ଦିବସରେ ମା'ଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପ୍ରାତଃ ସମୟରେ ମା'ଙ୍କୁ ସ୍ନାନ କରାଯାଇ ସ୍ବତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବେଦ୍ୟ ଅର୍ପଣ କରାଯାଇଛି । ମା'ଙ୍କ ଏହି ବେଶର ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ସମବେତ ହୋଇଛନ୍ତି ।
ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ୬ଟା ୧୫ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବାହନ କରାଯାଉଛି ।
ସ୍ବନକ୍ଷତ୍ର ଦିବସ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ମନ୍ଦିର ବାହାରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ମା'ଙ୍କୁ ଆରାଧନା କରାଯାଇଛି । ମା'ଙ୍କ ଦର୍ଶନ ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ମୁତୟନ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ