ଯାଜପୁର: ଜିଲ୍ଲାରେ କାୟା ବିସ୍ତାର କରିଛି କୋରୋନା । ଏଭଳି ସ୍ଥିତିରେ କାଳଵୈଶାଖୀ ଓ ଅଦିନିଆ ବର୍ଷାରେ ମୁଗ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଉଜୁଡି ଯାଇଛି ବ୍ୟାପକ ମୁଗ ଫସଲ ମୂଳ ବାହାରିବା ବି କଷ୍ଟକର ହୋଇପଡିଛି । ସ୍ଥାନୀୟ ଅଞ୍ଚଳର ଚାଷୀ ପାରାଦ୍ବୀପ-ଚଣ୍ଡିଖୋଲ ଜତୀୟ ରାଜପଥ ସାଙ୍ଗକୁ ରସୁଲପୁର ବ୍ଳକର ପାଖାପାଖି ୩୦ରୁ ଉର୍ଦ୍ଧ୍ବ ଗାଁ ଲୋକେ ମୁଗଚାଷ କରିଥାନ୍ତି । ଲକଡାଉନର ପ୍ରଭାବରେ ବିଲରୁ ଅମଳ କରିପାରିନାହାନ୍ତି ଚାଷୀ । ଏ ହେଉଛି ଯାଜପୁର ଜିଲ୍ଲା ରସୁଲପୁର ଓ ବଡ଼ଚଣା ବ୍ଳକର ମୁଗଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା । ସରକାରୀ ସହାୟତା ନମିଳିଲେ ମୁଣ୍ଡରୁ ଋଣ ବୋଝ କେମିତି ହଟିବ ସେ ନେଇ ଏବେ ଚିନ୍ତାରେ ଚାଷୀ ।
ମାଡି ଆସିଲା କାଳଵୈଶାଖୀ ଅଦିନିଆ ବର୍ଷା । ବର୍ଷା ସାଙ୍ଗକୁ ଝଡ଼। ବିଲରେ ଝଡି ଦେଲା ଅମଳ ହେବାକୁ ଥିବା ପାକଳ ମୁଗ । ଶହ ଶହ ହେକ୍ଟର ଚାଷଜମିରେ ନଷ୍ଟ କରିଦେଲା ବ୍ୟାପକ ମୁଗ ଫସଲ । ଯାହାକୁ ନେଇ ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଯାଜପୁର ଜିଲ୍ଲାରେ କୋରୋନା ହୁ ହୁ ହୋଇ ମାଡି ଚାଲିଥିବା ବେଳେ ଏବେ ସାରା ଜିଲ୍ଲାରେ ଜାରି ରହିଛି ଲକଡାଉନ । ଲକଡାଉନ ପ୍ରଭାବରେ ଚାଷୀ ବିଲକୁ ଯାଇପାରିନଥିଲେ କିମ୍ବା ମୁଗ ମଧ୍ୟ ଅମଳ କରିପାରିନଥିଲେ । ଏଭଳି ସ୍ଥିତିରେ ଚାଷୀଙ୍କୁ ବୁଡାଇଦେଇଛି କାଳଵୈଶାଖୀ ବର୍ଷା । ଚାଷୀଙ୍କୁ ଏବେ ପରିବାର ପ୍ରତିପୋଷଣ ଓ ଋଣ ସୁଝିବା ଚିନ୍ତା ଘାରିଛି । ଯାଜପୁର ଜିଲ୍ଲାର ବଡ଼ଚଣା ଓ ମାହାଙ୍ଗା ସୀମାନ୍ତବର୍ତୀ ଅଞ୍ଚଳ ବ୍ୟତିତ ରସୁଲପୁର ବ୍ଳକର ଅନେକ ଅଞ୍ଚଳରେ ଶହ ଶହ ଚାଷୀ ଏଭଳି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି । ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଚାଷୀ ।
ଲକଡାଉନ ପ୍ରଭାବରେ ବିଲରୁ ଅମଳ ହୋଇପାରିନଥିଲା ଫସଲ । ତେବେ କାଳଵୈଶାଖୀ ଝାଡ଼ବର୍ଷା ଯୋଗୁଁ ଅନଳ ପୂର୍ବରୁ ଶହ ଶହ ହେକ୍ଟର ଚାଷଜମିରେ ବିଲରେ ଝଡ଼ିଗଲା ମୁଗ ଆଉ ଚରିଗଲା ଘାସ। ବିଲ ଏବେ ଶୁଖିବା ପରେ ସ୍ଥାନୀୟ ଚାଷୀ ପାରାଦ୍ବୀପ-ଚଣ୍ଡିଖୋଲ ଜତୀୟ ରାଜପଥ କଡ଼ରେ ନେଇ କୁଢ଼ କରିପକାଇଛନ୍ତି ଅମଳ ହୋଇଥିବା ମୁଗ ଫସଲ । ରାସ୍ତା ଉପରେ ଅମଳ ଚାଲିଛି ମୁଗ। ଯାହା ଏବେ ଛେଳି ଗୋରୁ ବି ଚରିଯାଉଛନ୍ତି । ଯାହା ବି ଅମଳ ହେବ ସେଥିରୁ ଗଣ୍ଡେ ଅଧେ ବି ଦାନା ମିଳିବା କଷ୍ଟ। ସରକାରଙ୍କ ଠାରୁ କ୍ଷତିପୂରଣ ଆଶା ରଖିଛନ୍ତି ଏହି କ୍ଷତିଗ୍ରସ୍ତ ଚାଷୀ ।
ସେପଟେ ଏ ନେଇ କୌଣସି ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ କହିବାକୁ ମନା କରିଛନ୍ତି।ଚାରିଆଡେ ଜାରି ହୋଇଛି ଲକଡାଉନ । ଯାହାର ପ୍ରଭାବରେ ଲୋକଙ୍କୁ କେଉଁଠି କାମଧନ୍ଦା ବି ମିଳୁନି। ଏହା ମଧ୍ୟରେ ଚାଷୀ ମଧ୍ୟ ବେହାଲ ହୋଇପଡିଛନ୍ତି। ମୁଗ ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ଚଳିତ ବର୍ଷ ଏହି ମୁଗଚାଷୀ ମାନେ କେମିତି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ