ଯାଜପୁର: ଜିଲ୍ଲାର ବରୀ ଗସ୍ତରେ ବିଜେପିର ଏକ ଟିମ୍ । ବିଜେପିର ଏକ ପ୍ରତିନିଧି ଦଳ ବରୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତକରି ଫେରିଯାଇଛନ୍ତି । ଏହି ଟିମ୍ ବରୀ ବ୍ଲକର ଅରୁଆଳ, ମାଟିଆପଡା, ବାଲିଆପାଳ ପ୍ରଭୃତି ଅଞ୍ଚଳ ବୁଲି ବନ୍ୟା ଛାଡିବା ପରେ ଲୋକଙ୍କ ଅବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହି ଟିମରେ ରାଜ୍ୟ ବିଜେପି ପଛୁଆବର୍ଗ ସେଲର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ମହିଳା ମୋର୍ଚ୍ଚା ନେତ୍ରୀ ସିମନ୍ତିନୀ ଜେନା ପ୍ରମୁଖ କର୍ମକର୍ତ୍ତା ମାନେ ସାମିଲ ଥିଲେ । ଏହି ଟିମ୍ ସହିତ ସ୍ଥାନୀୟ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିଶେଷ କରି ଘାଇ ଅଞ୍ଚଳ ଗୁଡିକ ବୁଲି ଦେଖିଥିଲା ଟିମ୍ ।
ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଟିମ୍ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଯାଇଛି । ଏଥିସହ ମନୁଷ୍ୟକୃତ ଘାଇ ସୃଷ୍ଟି କରାଯାଇଥିବା ସ୍ଥାନରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ