ଯାଜପୁର: ମା ବିରଜାଙ୍କ ମନ୍ଦିରରେ ଘଣ୍ଟଘଣ୍ଟି ବାଡେଇ ପ୍ରତିବାଦ କଲେ ସେବାୟତ । ରାଜ୍ୟରେ ମନ୍ଦିର ଖୋଲିବା ଦାବିରେ ମା ବିରଜାଙ୍କ ମନ୍ଦିରରେ ଘଣ୍ଟଘଣ୍ଟି ବାଡେଇ ସବାୟତମାନେ ପ୍ରତିବାଦ କରିଛନ୍ତି ।
ରାଜ୍ୟ ସରକାର ମନ୍ଦିର ସେବାୟତଙ୍କ ଧୈର୍ଯ୍ୟର ପରୀକ୍ଷା କରୁଛନ୍ତି । ରାଜ୍ୟରେ କୋରୋନା ନିୟନ୍ତ୍ରଣକୁ ଆସିଥିବାବେଳେ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଉନାହାଁନ୍ତି । ସବୁ ଦୋକାନ ବଜାର ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ଖୋଲାଯାଇଛି, କିନ୍ତୁ ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାଁନ୍ତି ସରକାର । ଏହାର ପ୍ରତିବାଦରେ ଆଜି ମା ବିରଜା ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି ସେବାୟତ । ମନ୍ଦିର ଖୋଲିବା ପାଇଁ ସବୁ ଜିଲାପାଳଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲାପାଳ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇ ନାହାଁନ୍ତି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କଡା ସମାଲୋଚନା କରିଛନ୍ତି ସେବାୟତ ।
ଦୀର୍ଘ 8 ମାସ ଧରି ସେବାୟତମାନେ ଭୋକ ଉପାସରେ ପଡିଛନ୍ତି । ସରକାରଙ୍କ କୌଣସି ଧ୍ୟାନ ନଥିବା ଅଭିଯୋଗ କରାଯାଇଛି। ମନ୍ଦିର ଖୋଲିବାକୁ ତୁରନ୍ତ ନିଷ୍ପତ୍ତି ନିଆନଗଲେ ଜୋର ଜବରଦସ୍ତ ମନ୍ଦିର ଖୋଲାଯିବ ବୋଲି ସେବାୟତମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ