ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣଧାରଣା କରିଛନ୍ତି । ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ବିଭାଗର ପୁନଃ ସ୍ଥାପନ, ନୂତମ ପେନସନ ନିର୍ଦ୍ଧାରଣ ଆଦି ଦାବି କରି ଧାରଣାରେ ବସିଛନ୍ତି ।
ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ବରେ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ପୂର୍ବରୁ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ୮୧ ଟି ଶାଖାରେ ଧାରଣା ଦିଆଯାଇଛି ।
ଅବସରପ୍ରାପ୍ତ କର୍ମଚାରୀ ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ ଦଫା ଦାବି ବିଶିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ