ଯାଜପୁର: ବଦଳିବ ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନର ନାଁ । ଯାଜପୁର ଜିଲାର ଏହି ପ୍ରମୁଖ ରେଳଷ୍ଟେସନର ନାଁ ପରିବର୍ତନ ହୋଇ ଏହା ଯାଜପୁରରୋଡ ହେବ । ପୂର୍ବରୁ ଏହି ରେଳଷ୍ଟେସନ ଉପରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ନିର୍ଭର କରୁଥିଲେ । ତେଣୁ ଏହାର ନାଁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରହିଥିଲା । କିନ୍ତୁ ଏବେ କେନ୍ଦୁଝର ଜିଲାକୁ ରେଳ ସଂଯୋଗ ହୋଇଛି । ଏକ ନୂତନ ଷ୍ଟେସନ କେନ୍ଦୁଝର ରୋଡ ନାଁରେ ନାମିତ ହୋଇଛି ।
ଏଥିପାଇଁ ଯାଜପୁର ରେଳଷ୍ଟେସନର ନାଁ ପରିବର୍ତନ କରିବାକୁ ନିଷ୍ପତି ନେଇଛି ପୂର୍ବତଟ ରେଳବିଭାଗ । ଏନେଇ ରେଳ ମନ୍ତ୍ରଣାଳୟ ଯାଜପୁର ଜିଲା ପ୍ରଶାସନ ଠାରୁ ଷ୍ଟେସନର ନାଁ ପରିବର୍ତନ ପାଇଁ ମତାମତ ଲୋଡିଥିଲା । ଜିଲା ପ୍ରଶାସନ ପକ୍ଷରୁ ଷ୍ଟେସନ ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ ମାନଙ୍କ ଠାରୁ ମତାମତ ନିଆଯାଇଛି । ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଷ୍ଟେସନର ନାମ ପରିବର୍ତନ କରିବା ନେଇ ହୋଇଛି । ଏହାକୁ ନୂତନ ଭାବେ 'ଯାଜପୁରରୋଡ' କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି। ଏହି ଷ୍ଟେସନ ନାମ ପରିବର୍ତନ ରିପୋର୍ଟକୁ ଜିଲାପ୍ରଶାସନ ପକ୍ଷରୁ ରେଳବିଭାଗକୁ ପ୍ରଦାନ କରାଯିବ। ନୂତନ ରେଳଷ୍ଟେସନର ନାମ ରେଳବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯିବ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ