ଯାଜପୁର: ପ୍ରତିବର୍ଷ ରଥଯାତ୍ରା ପାଇଁ ନିମ୍ବ, ପଣସ, ଦେବଦାରୁ ଆଦି ବିଭିନ୍ନ ବୃକ୍ଷର ଖୋଜା ପଡିଥାଏ । ନବକଳେବର ଆସିଲେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ଆଦି ତିନି ମୂର୍ତ୍ତୀଙ୍କର ଦାରୁ ନିର୍ମାଣ ପାଇଁ ମଧ୍ୟ ବିଶାଳକାୟ ବୃକ୍ଷର ଆବଶ୍ୟକତା ଥାଏ । ପ୍ରତିବର୍ଷ ପୁରୀରେ ରଥ ନିର୍ମାଣ ପାଇଁ ୫ ଶହରୁ ଉର୍ଦ୍ଧ୍ବ ଗଛ କାଟିବାକୁ ପଡିଥାଏ । କେବଳ ପୁରୀ ନୁହେଁ ରାଜ୍ୟ ତଥା ଦେଶରେ ମଧ୍ୟ ଅନ୍ୟ କେତେକ ସ୍ଥାନରେ ପ୍ରତିବର୍ଷ ନୂତନ ରଥ ନିର୍ମାଣ କରାଯାଇଥାଏ । ଯାହାର ପ୍ରଭାବ ପ୍ରତ୍ୟେକ୍ଷ ବା ପରୋକ୍ଷରେ ପରିବେଶ ଉପରେ ପଡିଥାଏ ।
କିଭଳି ଏହାର ନିରାକରଣ କରାଯାଇପାରିବ ଏବଂ ବ୍ୟାପକ ବୃକ୍ଷରୋପଣ କରାଯାଇ ପାରିବ ସେଥିଲାଗି ଏଭଳି ଏକ ନୂଆ ଚିନ୍ତାଧାରାକୁ ଆପଣେଇଛି ‘‘ସୁପର ଗ୍ରୀନ୍-30 ନାମକ ସ୍ବେଚ୍ଛାସେବୀ ସଂଗଠନ’’ । ଏଥିପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବାରୁ ସଂଗଠନର ମୁଖ୍ୟ ମୁମ୍ବାଇର ଟେକ୍ ମହିନ୍ଦ୍ରା କମ୍ପାନୀରେ କନିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଧର୍ମେନ୍ଦ୍ର କର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଉତ୍ସାହିତ ଯୁବକ ମାନଙ୍କୁ ସାଥିରେ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ରଥ ବଗିଚା ସୃଷ୍ଟି କରିବାକୁ ଶପଥ ନେଇଛନ୍ତି । ଯାଜପୁରର ବଳରାମପୁର ଗଡରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇଛି ଏହି ଅଭିଯାନ ।
ରଥ ପାଇଁ ବଗିଚାଟିଏ... ଏଭଳି ନାରା ଦେଇ ନୂଆବର୍ଷରେ ନୂଆ ଚିନ୍ତାଧାରା ନେଇ ଏଭଳି ଏକ ନୂଆ ପରିକଳ୍ପନାକୁ କାର୍ଯ୍ୟକାରୀ କରିଛି ସୁପର ଗ୍ରୀନ୍-30 ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ । ଚାରିଆଡେ ସମସ୍ତେ 2022 ମସିହାର ନୂଆବର୍ଷ ଆସର ଓ ଭୋଜିଭାତରେ ମସଗୁଲ ଥିବା ବେଳେ ଏହି ସଂଗଠନ ନିଆରା ଢଙ୍ଗରେ ପାଳନ କରୁଛି ଏଥରର ନୂଆବର୍ଷ ଉତ୍ସବ । ବଳରାମପୁର ଗଡରେ ଥିବା ପ୍ରାଚୀନତମ ଜଗନ୍ନାଥ ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲିରେ ନିର୍ମାଣ କରାଯାଇଥିଲା ଏକ ଜଗନ୍ନାଥ ମୂର୍ତ୍ତୀ । ଏହି ମନ୍ଦିର ପରିସରରେ ଏକ ରଥବଗିଚା ସୃଷ୍ଟି କରିବାକୁ ଦୀର୍ଘ ପ୍ରାୟ ଏକମାସ ଧରି ମନ୍ଦିର ପରିସରକୁ ସଫା କରାଯାଇଥିଲା । ମନ୍ଦିର ପରିସରରେ ବାଲୁକା ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ଓ ଯଜ୍ଞ କରି ରଥବଗିଚା ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା ।
ସୁଦୂର ଲଣ୍ଡନରେ ରହୁଥିବା ଓଡିଆ ଦମ୍ପତ୍ତି ଗାଁ ମାଟିକୁ ଆସି ଏହି ଅଭିଯାନରେ ସାମିଲ ହେବା ସହିତ ଏଭଳି ମହତ୍ କାର୍ଯ୍ୟର ପ୍ରଶଂସା କରିଥିଲେ । ବିଦେଶରେ ରହି ମଧ୍ୟ ସେଠାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ଏହି ଦମ୍ପତି । ତେବେ ଆଗକୁ ରାଜ୍ୟବ୍ୟାପି ଏହି ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସୁପର ଗ୍ରୀନ୍-30 ସଂଗଠନ । ବାସ୍ତବରେ ରଥକାଠ ପାଇଁ ରଥବଗିଚା ସୃଷ୍ଟି କରିବାର ଏଭଳି ନିଆରା ପରିକଳ୍ପନାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରାଗଲେ ପରିବେଶର ସୁରକ୍ଷା ରହିବା ସହିତ ଜଗନ୍ନାଥ ମନ୍ଦିର ମାନଙ୍କରେ ଏକ ସୁନ୍ଦର ସବୁଜ ବଳୟ ସୃଷ୍ଟି ହୋଇପାରିବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ