ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ବିତିଯାଇଛି ଦୀର୍ଘ 15 ବର୍ଷ । ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରି ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି 14 ଜଣ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା । ସେହି ଅଭୁଲା ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ ।
କୋଭିଡ୍ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇଥିଲେ ହେଁ ଜନମଞ୍ଚ ପକ୍ଷରୁ ଏଥିପାଇଁ ଚାଲିଛି ପ୍ରସ୍ତୁତି । ଆଇନଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କଳିଙ୍ଗନଗର ଟାଟା କମ୍ପାନୀର ଜମି ଅଧିଗ୍ରହଣ ଓ ପ୍ରାଚୀର ନିର୍ମାଣକୁ ବିରୋଧ କରିଥିଲେ ବିସ୍ଥାପନ ବିରୋଧି ଆଦିବାସୀ । ଯାହାକୁ ନେଇ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଘଟିଥିଲା ତୁମୂଳ ସଂଘର୍ଷ ।
ମୃତକ ମାନଙ୍କୁ ସହିଦ୍ ଭାବେ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜନମଞ୍ଚ ପାଳିଆସୁଛନ୍ତି ସ୍ମୃତି ସମାବେଶ । ଏଥିପାଇଁ ଜନମଞ୍ଚ ପକ୍ଷରୁ ଗଣ ଶବଦାହ ସ୍ଥଳୀ ବୀରଭୂମି ପଡିଆରେ ଚାଲିଛି ସମସ୍ତ ପ୍ରସ୍ତୁତି । ଆସନ୍ତା କାଲି(ଶନିବାର) ସକାଳୁ ପାରମ୍ପରିକ ଭାବେ ଦିରି-ଦୁଲସୁନୁମ୍, ହୟରାଚାମ, ଜାତିସାପା ପରେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରୁ ବୀରଭୂମି ଅଭିମୁଖେ କରାଯିବ ଶୋଭାଯାତ୍ରା ଓ ଶହୀଦ ସ୍ମୃତି ସଭା । ଏହାକୁ ଶୃଙ୍ଖଳା ଅନୁସାରେ ସମାପନ କରିବା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ