ଯାଜପୁର: ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠ ଓ ସେଠାକାର ଅଲୌକିକ ମହିମା ସମ୍ପର୍କରେ ଶୁଣିଥିବେ ନିଶ୍ଚୟ । ହେଲେ ଆମେ ଆପଣଙ୍କୁ ଏଭଳି ଏକ ପୀଠ ବିଷୟରେ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯାଜପୁରରେ ଏପରି ଏକ ପୀଠ ରହିଛି ଯେଉଁଠି ପୂଜା ପାଆନ୍ତି ପଶୁ ଦେବତା । ଗୃହପାଳିତ ପଶୁପକ୍ଷୀଙ୍କ ଆରୋଗ୍ୟ ପାଇଁ ଏଠାରେ ମାନସିକ ଓ ପୂଜାର୍ଚ୍ଚନା କରାଯାଏ । ଯେଉଁଥିଲାଗି ଏଠାରେ ରୁଣ୍ଡ ହୁଅନ୍ତି ଶହ ଶହ ଭକ୍ତ ।
ଯାଜପୁର ଜିଲ୍ଲା କୋରାଇ ବ୍ଲକ ମୁକୁନ୍ଦପୁର ଗାଁରେ ପୂଜା ପାଆନ୍ତି ଏହି ପଶୁ ଦେବତା । ବିଶ୍ବାସ ରହିଛି ଯଦି କୌଣସି ଗୋରୁଗାଈ, ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁଙ୍କ ଦେହ ଖରାପ ହୁଏ, ତେବେ ଏଠାରେ ନଡିଆ ମାନସିକ କଲେ ତାର ଦେହ ଭଲ ହୋଇଯାଏ । ତେବେ ବୈତରଣୀ ନଦୀ କୂଳରେ ରହିଥିବା ଏହି ପୀଠରେ ପୂଜା ପାଆନ୍ତି ମହାପୁରୁଷ ମୁନୀ ଦକ୍ଷୀଣଚନ୍ଦ୍ର, ଯିଏକି ପଶୁଙ୍କ ଦେବତା ନାମରେ ପରିଚିତ । ସେ ଏଠାରେ ଜିଅନ୍ତା ସମାଧି ନେଇଥିବା କୁହାଯାଏ ।
ଲୋକକଥା ଅନୁସାରେ, ଶହଶହ ବର୍ଷ ପୂର୍ବେ ଏସବୁ ଅଞ୍ଚଳ ଜଙ୍ଗଲ ଥିଲା ଏବଂ ସେହି ସମୟରେ ମହାପୁରୁଷ ମୁନୀ ଦକ୍ଷୀଣଚନ୍ଦ୍ର ଏଠାରେ ଧ୍ୟାନ କରୁଥିଲେ । ତେବେ ପ୍ରତ୍ୟେକ ଦିନ ଏକ ଗାଈ ମୁନୀଙ୍କ ନିକଟକୁ ଆସି ତାଙ୍କୁ କ୍ଷୀର ପିଆଇ ଯାଉଥିଲା । ପରବର୍ତୀ ସମୟରେ ମୁନୀ ଦକ୍ଷୀଣଚନ୍ଦ୍ର ଏଠାରେ ଜିଅନ୍ତା ସମାଧି ନେଇଥିଲେ । ତା ପରଠାରୁ ସେ, ସ୍ଥାନୀୟ ଲୋକଙ୍କ ପାଇଁ ପଶୁଙ୍କ ଦେବତା ପାଲଟି ଯାଇଛନ୍ତି ।
ପୂର୍ବରୁ ଏଠାରେ ସମାଧି ଥିବାବେଳେ ପରେ ତାଙ୍କର ଏକ ମୂର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ତେବେ ପ୍ରତିବର୍ଷ ପୌଷ ମାସ ବଉଳ ଅମାବାସ୍ୟାରେ ଏଠାରେ 2ଦିନ ବ୍ୟାପୀ ମେଳା ଚାଲେ । ଏହି ସମୟରେ ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସି ନିଜ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ କରିଥିବା ମାନସିକ ଲାଗି ପୂଜାର୍ଚ୍ଚନା କରିଥାନ୍ତି ।
ଏହି ଦିନ ଲୋକେ ନିଜର ଗୃହପାଳିତ ପଶୁପକ୍ଷୀଙ୍କୁ ସାଥିରେ ଆଣି ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏହାସହ ମାନସିକ ନଡିଆ, କଦଳୀ, କ୍ଷୀର ଓ ଉଖୁଡା ଆଦି ଭୋଗ ପଶୁ ଦେବତାଙ୍କୁ ଅର୍ପଣ କରନ୍ତି । ଏହି ସମୟରେ ଉତ୍ସବମୁଖର ହୋଇଉଠେ ସମଗ୍ର ଅଞ୍ଚଳ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ