ଯାଜପୁର: ଧର୍ମଶାଳା ହରିଦାସପୁର ଭିଏଲଡବଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜଳୁଛି ଯାଜପୁର । ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ସୋମବାର ବିଜେପି ପକ୍ଷରୁ 12 ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଜେପି ନେତାଙ୍କ ନେତୃତ୍ବରେ ଦିଆଯାଇଥିବା ଏହି ବନ୍ଦ ପାଳନରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି ।
ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ୍ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ବିଜେପି କର୍ମୀଙ୍କ ଦ୍ବାରା ବନ୍ଦ କରାଯାଉଛି । ସକାଳ 6ଟାରୁ ପିକେଟିଂ କରି ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ ଅବରୋଧ କରିଛନ୍ତି । ଯଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡି ଅଟକି ରହିବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଇନ ଶୃଙ୍ଗଳାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ