ଯାଜପୁର: ଲକଡାଉନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । ଏହି କ୍ରମରେ ଗୁରୁବାର ରାତି ପ୍ରାୟ 8.30ରେ ଯାଜପୁର ରୋଡ୍ ରେଳ ଷ୍ଟେସନରେ ପହଞ୍ଚିଛି ସ୍ବତନ୍ତ୍ର ଟ୍ରେନ୍ । ଗୁଜୁରାଟର ସୁରତରୁ ଆସିଥିଲା ଏହି ସ୍ବତନ୍ତ୍ର ଟ୍ରେନ ।
ଯାଜପୁର ସହିତ ଅନ୍ୟ 6ଟି ଜିଲ୍ଲାର ପ୍ରବାସୀ ଓଡିଆ ଶ୍ରମିକ ମାନେ ଟ୍ରେନରୁ ଓହ୍ଲାଇଥିଲେ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ରେଳବିଭାଗ ପକ୍ଷରୁ ରେଳଷ୍ଟେସନ ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ଓହ୍ଲାଇଥିବା ପ୍ରବାସୀ ମାନଙ୍କୁ ନିଜ ନିଜ କାଉଣ୍ଟରରେ ପଞ୍ଜିକୃତ କରାଯାଇଥିଲା ।
ସେପଟେ ପ୍ରବାସୀ ଓଡିଆଙ୍କୁ ସ୍ବାଗତ କରିବା ପାଇଁ ସଜାଗ ରହିଥିଲେ ଅଧିକାରୀ ଓ କର୍ମଚାରୀ । ଉପସ୍ଥିତ ରହିଥିଲେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପୋଲିସ ପ୍ରଶାସନର ଅଧିକାରୀ । ଯାଜପୁର ସମେତ କଟକ, ଜଗତସିଂହପୁର, କେନ୍ଦୁଝର, ପୁରୀ, ନୟାଗଡ ଓ ଖୋର୍ଦ୍ଧା ଆଦି 7 ଟି ଜିଲ୍ଲାର 400ରୁ ଊର୍ଦ୍ଧ ପ୍ରବାସୀ ଓଡିଆ ଯାଜପୁର ରୋଡ ରେଳ ଷ୍ଟେସନରେ ଓହ୍ଲାଇଥିଲେ । ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ହାତରେ ଷ୍ଟାମ୍ପ ମରାଯାଇଥିଲା । ସେମାନଙ୍କୁ ପ୍ରଶାସନ ପକ୍ଷରୁ ବସ ଯୋଗେ ନିଜ ନିଜ ଅଞ୍ଚଳର କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସହରରେ 144 ଧାରା ଜାରି କରାଯାଇଥିବା ସହ ଷ୍ଟେସନ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ