ଯାଜପୁର: ବହୁଚର୍ଚ୍ଚିତ କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାକୁ 17 ବର୍ଷ ପୁରିଛି (17th anniversary of Kalinganagar firing case )। ପୂର୍ବଧାରା ବଜାୟ ରଖି ବିସ୍ଥାପନ ବିରୋଧି ଜନମଞ୍ଚ ଏ ବର୍ଷ ମଧ୍ୟ ଶହୀଦ ସ୍ମୃତି ସମାବେଶ କରିଛି । ଚଳିତ ଥର ବିରୋଧୀ ଜନମଞ୍ଚ ସହିତ ଏଥିରେ ସାମିଲ ହୋଇଛି ବିସ୍ଥାପିତ ଉନ୍ନୟନ ପରିଷଦ । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଗୁଳିକାଣ୍ଡ ଘଟିଥିବା ସ୍ଥାନ ଚମ୍ପାକୋଇଲରୁ ବାହାରି କଳିଙ୍ଗ ନଗର ଶିଳ୍ପାଞ୍ଚଳ ପରିକ୍ରମା କରିବା ପରେ ଆମ୍ବଗାଡିଆ ସ୍ଥିତ ବୀରଭୂମି ପଡିଆରେ ପହଞ୍ଚିଥିଲା । ସେଠାରେ ହଜାର ହଜାର ସ୍ଥାନୀୟ ଜନତା, ଆଦିବାସୀ ନେତା ଓ ବିସ୍ଥାପନ ବିରୋଧୀ ମଞ୍ଚର କାର୍ଯ୍ୟକର୍ତ୍ତା ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଶୋଭାଯାତ୍ରା କଳିଙ୍ଗ ନଗର ଶିଳ୍ପାଞ୍ଚଳ ପରିକ୍ରମା କରି ମୃତକଙ୍କ ମୃତଦେହ ସଂସ୍କାର ହୋଇଥିବା ବୀରଭୂମି ପଡିଆରେ ପହଞ୍ଚିଥିଲା (Kalinganagar firing case)। ସେଠାରେ ଥିବା ଗଣସମାଧିସ୍ଥଳରେ ପ୍ରତ୍ୟେକ ମୃତକଙ୍କ ସମାଧିରେ ଲାଲ୍ ସଲାମ୍ ଜଣାଇଥିଲେ ବସ୍ଥାପନ ବିରୋଧୀ ଏବଂ ସପକ୍ଷବାଦୀ । ଆଦିବାସୀ ନେତାମାନେ ଲାଲ ପତାକା ଉତ୍ତୋଳନ କରିବା ପରେ ସେଠାରେ ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା । ଯେଉଁଥିରେ ଦୀର୍ଘ 17ବର୍ଷ ତଳର ସେହି ଘଟଣାକୁ ଅବତାରଣ କରାଯାଇଥିଲା । ବିଭିନ୍ନ ସଂଗଠନ ଏବଂ ଆଦିବାସୀ ନେତା ଯୋଗଦେଇ ସରକାରଙ୍କ କାର୍ଯ୍ୟକଳାପ ଉପରେ ବର୍ଷିଥିଲେ ।
ଏଥିସହ ଘଟଣା ପରେ ନ୍ୟାୟିକ ତଦନ୍ତ ରିପୋର୍ଟରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ ମଧ୍ୟ କରିଥିଲେ ମଞ୍ଚର କାର୍ଯ୍ୟକର୍ତ୍ତା । ଏହି ନେତାମାନେ ଆଗକୁ ମଧ୍ୟ ସଂଘର୍ଷ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କ ନେତୃତ୍ବରେ 5 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
2006 ମସିହା ଜାନୁଆରୀ 2ତାରିଖରେ ଘଟିଥିଲା ଏହି ଗୁଳିକାଣ୍ଡ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଗୁଳିରେ 14 ଆଦିବାସୀ ପ୍ରାଣ ହରାଇଥିଲେ । ଏଥିରେ ଆଦିବାସୀଙ୍କ ଆକ୍ରମଣରେ ଜଣେ ପୋଲିସ ହାବିଲଦାରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଇତି ମଧ୍ୟରେ ଘଟଣାକୁ ଦୀର୍ଘ 17ବର୍ଷ ବିତିଛି । ହେଲେ ସ୍ଥାନୀୟ ଲୋକଙ୍କ ମନରୁ ଏବେ ମଧ୍ୟ ଲିଭି ନାହିଁ ସେହି କଳା ଦିନର ସ୍ମୃତି ।
ଘଟଣାକୁ ଦୀର୍ଘ ବର୍ଷ ବିତିଥିଲେ ସୁଦ୍ଧା ଏବେ ମଧ୍ୟ ବିସ୍ଥାପିତ ହୋଇଥିବା ଓ ଗୁଳିକାଣ୍ଡରେ ପୀଡିତ ପରିବାରଙ୍କ କ୍ଷୋଭ ଶାନ୍ତ ପଡିନି । ଲୋକଙ୍କୁ ବଳପୂର୍ବକ ବିସ୍ଥାପିତ କରି ସରକାର ଓ କମ୍ପାନୀ ଦେଇଥିବା ପ୍ରତିଶୃତି ରଖୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଏହା ବିରୋଧରେ ଆଗାମୀ ଦିନରେ ଲଢେଇ ଜାରି ରହିବା ନେଇ ସରକାରଙ୍କୁ ଉଭୟ ବିସ୍ଥାପନ ବିରୋଧି ଓ ସପକ୍ଷବାଦୀ ଆଦିବାସୀ ମଞ୍ଚ ଚେତାବନୀ ଦେଇଛି ।
ଇଟିଭି ଭାରତ, ଯାଜପୁର