ଯାଜପୁର: ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିଛି ଯାତ୍ରା ରଙ୍ଗମଞ୍ଚ । କୋଭିଡ୍ ମହାମାରୀ ଯୋଗୁଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିଲା ଯାତ୍ରା ଜଗତ । ମହାମାରୀ ପାଇଁ ଯାତ୍ରା ଜଗତ ଉପରେ ଢାଙ୍କି ରହିଥିଲା କଳା ବାଦଲ । ପେଟପାଟଣା ହରାଇ ବସିଥିଲେ ଯାତ୍ରା କଳାକାର । କୋରୋନା ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରାକୁ ଅନୁମତି ଦେବାକୁ କଳାକାରଙ୍କ ପକ୍ଷରୁ ସରକାରଙ୍କୁ ଦାବି ହୋଇଥିଲା । ଯାତ୍ରା ବଞ୍ଚିଲେ କଳାକାର ବଞ୍ଚିବେ ଏହି ସ୍ଲୋଗାନ ଦେଇ ରାଜରାସ୍ତା ଠାରୁ ରାଜଧାନୀ ଯାଏ ଦାବି ପରେ ଦାବି କରି ଚାଲିଥିଲେ ଯାତ୍ରା କଳାକାର । ଶେଷରେ ସରକାର କଳାକାରଙ୍କ ଗୁହାରୀ ଶୁଣି କୋଭିଡ ନିୟମ ପାଳି ଯାତ୍ରାକୁ ଅନୁମତି ଦେଇଥିଲେ ।
ସରକାରଙ୍କ ନିଷ୍ପତ୍ତିରେ କଳାକାର ଓ ଯାତ୍ରା ଆୟୋଜକଙ୍କ ମୁହଁରେ ପୁଣି ହସ ଫୁଟିଛି । ମେକପ୍ ରୁମରେ ପ୍ରବେଶ କରି ମୁହଁରେ ରଙ୍ଗ ମାଖିଛନ୍ତି ଯାତ୍ରା କଳାକାରଏବଂ ମଞ୍ଚରେ ପ୍ରଦର୍ଶନ କରିଛନ୍ତି ନିଜର ଅଭିନୟ । ନାଲି ନେଳି ଚିକମିକ୍ ଆଲୁଅରେ ଝଲସି ଉଠିଛି ଯାତ୍ରା ମଞ୍ଚ । ଯାତ୍ରାକୁ ଅନୁମତି ମିଳିବା ପରେ ଯାଜପୁର ଜିଲ୍ଲା ବ୍ୟାସନଗରର କୋପଣ୍ଡ ପଡିଆରେ ଯାତ୍ରା ପାଇଁ ମିଳିଛି ପ୍ରଶାସନିକ ଅନୁମତି । ଧଉଳି ଗଣନାଟ୍ୟ ଦ୍ବାରା ଜିଲ୍ଲାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି ଯାତ୍ରା । ଖାଲି କଳାକର ନୁହେଁ ଯାତ୍ରାକୁ ଭଲ ପାଉଥିବା ପ୍ରତିିଟି ଦର୍ଶକ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ଲହରୀ ।
ଦୀର୍ଘ ଦିନର ବ୍ୟବଧାନ ପରେ ଯାତ୍ରା ଦେଖିବାର ସୁଯୋଗ ପାଇ ସରକାର ଏବଂ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଛନ୍ତି ଯାତ୍ରାପ୍ରେମୀ । ଯାତ୍ରା କଳାକାର ମଧ୍ୟ ଏଥପାଇଁ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଓ ସାନିଟାଇଜ୍ କରିବାକୁ ବାଧ୍ୟତା ମୂଳକ କରିଛନ୍ତି ଆୟୋଜକ ଓ ଯାତ୍ରା ମାଲିକ । ଏହା ସହିତ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କୋଭିଡ ନିୟମ ପାଳନରେ ଦର୍ଶକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି କଳାକାର ସଙ୍ଘ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ