ଯାଜପୁର: ଅନାଥ କଣ ଜାଣିବା ପୂର୍ବରୁ ଅନାଥ ହୋଇ ଯାଇଛନ୍ତି 2 ଶିଶୁ । ତୁଣ୍ଡରେ ବାପା, ମାଆର ଶବ୍ଦ ଉଚ୍ଚାରଣ ହେବା ପୂର୍ବରୁ ଆଖି ଆଗରୁ ସେ ଦୁଇଜଣଙ୍କୁ ଛଡାଇ ନେଇଛି ଦଇବ । ଦୁର୍ବିସହ ହୋଇପଡିଛି 2 ଶିଶୁଙ୍କ ଜୀବନ । ପୁଅକୁ 5 ବର୍ଷ ହୋଇଥିବାବେଳେ ସେଜ ଛାଡିନି ସାନ ଝିଅ । ଏବେ ନା ଅଛନ୍ତି କେହି ନିଜର, ନା ମିଳୁଛି ଦୁଇ ଓଳି ଦୁଇ ମୁଠା ଆହାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଭଟିଆ ଗାଁରେ ।
ଆଜକୁ ପ୍ରାୟ 15 ଦିନ ତଳେ ବାପା ସନାତନ ମଲିକ କୋଭିଡରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ଦୀର୍ଘଦିନ ଦିନ ଧରି କର୍କଟରେ ଆକ୍ରାନ୍ତ ହୋଇ ଗୋଡ ହରାଇଥିବା ମାଆ ସୁକାନ୍ତି ବାପା ମୃତ୍ୟୁର ମାସକ ପରେ ମଧ୍ୟ ଆଖି ବୁଜିଦେଲା । ଅସମୟରେ ବାପାମାଆ ଦୁଇଜଣଙ୍କୁ ହରାଇ ଅନାଥ ପାଲଟି ଯାଇଛନ୍ତି ଦୁଇ କୋମଳମତି ଶିଶୁ । ଏଭଳି ସ୍ଥିତିରେ ମାମୁଁଘର ଲୋକେ 2 ପିଲାଙ୍କ ଦାୟିତ୍ବ ନେଇଛନ୍ତି । ମାମୁଁଘରର ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ଭଲ ନାହିଁ । ତେଣୁ ଦୁଇ ପିଲାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟବାସୀ ନିବେଦନ କରିଛନ୍ତି ।
ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗାଁକୁ ଆସି ଏମାନଙ୍କ ବାବଦରେ ଅବଗତ ହୋଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ଏବଂ ସେମାନଙ୍କ ପାଠପଢା ଓ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ବନ୍ଦୋବସ୍ତ କରାଯିବ ବୋଲି ସେ କହିଛନ୍ତି ।
ଏହି 2 ଅନାଥ ଶିଶୁଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିଲେ ସାର୍ଥକ ହୋଇପାରନ୍ତା ଅନେକ ଯୋଜନା । ଆଉ ସମାଜରେ ଜଣେ ଜଣେ ଭଲ ମଣିଷ ହୋଇ ଜୀବନ ସାର୍ଥକ କରିପାରନ୍ତେ ଏମାନେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ